
ଡବଲ ଇଞ୍ଜିନ, ଡବଲ ବିକାଶ”… ନିର୍ବାଚନ ସମୟରେ ଏହି ନାରା ଦେଇ ଓଡ଼ିଶାରେ କ୍ଷମତାସୀନ ହୋଇଥିଲା ଭାରତୀୟ ଜନତା ପାର୍ଟି। ହେଲେ ସରକାର ଗଠନର ଅଢ଼େଇ ବର୍ଷ ପରେ, ଏହି ‘ଡବଲ ଇଞ୍ଜିନ’ ବାସ୍ତବରେ ରାଜ୍ୟବାସୀଙ୍କ ପାଇଁ ‘ଡବଲ ଧୋକା’ରେ ପରିଣତ ହୋଇଛି ବୋଲି ଅଭିଯୋଗ ଆଣିଛି ବିଜୁ ଜନତା ଦଳ। କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି, ଖଣିଜ ସମ୍ପଦର ହରିଲୁଟ, ବେକାରୀ ସମସ୍ୟା ବୃଦ୍ଧି, ଦରଦାମ ବୃଦ୍ଧି, ଦାଦନ ବୃଦ୍ଧି ଇତ୍ୟାଦି ସମସ୍ୟା ସହିତ ରାଜ୍ୟ ସରକାରଙ୍କ ମନ୍ଥର ବ୍ୟୟ ରାଜ୍ୟର ବିକାଶକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ଠେଲି ଦେଇଛି ବୋଲି ବିଜେଡି କହିଛି ।
ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% ହ୍ରାସ ପାଇଛି । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଥିବା ବେଳେ ଓଡିଶାକୁ କିଛି ମିଳିନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିବା ସହିତ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହେବା କାରଣରୁ, ଓଡିଶା ଦେଶ ଓ ଦେଶ ବାହାରେ ନିନ୍ଦିତ ହୋଇଛି । ରାଜ୍ୟ ସରକାର ନିଜ ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି । ଚଳିତ ରାଜ୍ୟ ବଜେଟରେ ୩.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିଲା ବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ମାତ୍ର ୨୮% ଅର୍ଥ ଖର୍ଚ୍ଚ ହୋଇପାରିଛି ।
ସେହିପରି ଦାଦନ ସମସ୍ୟାର ସମାଧାନ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଗତ ଅଢେଇ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦାଦନ ଚାଲାଣ ହେଉଥିବା ଖବର ନିୟମିତ ଭାବେ ପ୍ରକାଶ ପାଉଛି । ଅପରପକ୍ଷରେ ରାଜ୍ୟରେ ଖଣି ଚୋରି, ବାଲି ଚୋରି ଉକ୍ରଟ ରୂପ ନେଇଛି । ବିଜେପିର ୩ ଜଣ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ବିକାଶ କାମ ଆଗକୁ ବଢୁନଥିବା କଥା ଉଲ୍ଲେଖ କରିଛନ୍ତି, ଯାହା ରାଜ୍ୟର ବିକାଶ କାର୍ଯ୍ୟର ନଗ୍ନ ସ୍ଥିତିକୁ ପ୍ରଦର୍ଶିତ କରୁଛି ।
ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ରାଜ୍ୟ ମାନଙ୍କ ଠାରୁ ଖଣି ଓ ଖଣି ଥିବା ଜମି ଉପରୁ ସେମାନଙ୍କ ଅଧିକାର ଛଡାଇ ନିଆଗଲା । ଯାହା ଯୋଗୁଁ ଓଡିଶା ଖଣି ଟିକସର ବକେୟା ବାବଦକୁ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ହରାଇଲା ଓ ବାର୍ଷିକ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା ହରାଇବ । ଦୁଃଖ ଓ ପରିତାପର ବିଷୟ, ଏମଏମଡିଆର ସଂଶୋଧନ ଭଳି ଓଡିଶା ବିରୋଧୀ ବିଲ୍କୁ ବିଜେପିର ଲୋକସଭାରେ ଥିବା ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ହାତ ଟେକି ସମର୍ଥନ କଲେ । ଆଉ ଏବେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ତେଣୁ ବିଜେପିର ଅଢେଇ ବର୍ଷର ଶାସନରେ ରାଜ୍ୟର ବିକାଶ ଆଗକୁ ନୁହେଁ ବରଂ ପଛକୁ ଯାଇଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି |




