ଜାତୀୟ

ସମସ୍ୟା ଶୁଣିଲାନି ପ୍ରଶାସନ, ଅଫିସ୍‌ରେ କୁକୁର ଛାଡ଼ି କଲେ ପ୍ରତିବାଦ

ବୁଲା କୁକୁରଙ୍କ ସମସ୍ୟାକୁ ନେଇ ମହାରାଷ୍ଟ୍ରର ନାସିକ ଜିଲ୍ଲା ନିଫାଡରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରତିବାଦ। ସମସ୍ୟା ସମାଧାନ ଦାବିରେ ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ହିଁ ବୁଲା କୁକୁରଙ୍କୁ ନେଇ ପହଞ୍ଚିଗଲେ ଯୁବ ସେନା ନେତା ଓ ସ୍ଥାନୀୟ ଲୋକେ। ଏପରିକି ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ କୁକୁରମାନଙ୍କୁ ଛାଡ଼ି ପ୍ରତିବାଦ କରାଯାଇଥିଲା।

ରିପୋର୍ଟ ଅନୁସାରେ, ନିଫାଡ ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ଉପଦ୍ରବକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ତେବେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ।ଏହାକୁ ନେଇ ଯୁବ ସେନା ଜିଲ୍ଲା ମୁଖ୍ୟ ବିକ୍ରମ ରାନ୍ଧଭେଙ୍କ ନେତୃତ୍ୱରେ ନିଫାଡ ନଗର ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତିବାଦ କରାଯାଇଥିଲା।ପ୍ରତିବାଦ ସମୟରେ କିଛି ବୁଲା କୁକୁରଙ୍କୁ ବସ୍ତାରେ ଆଣି ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରକୁ ନିଆଯାଇଥିଲା। ପରେ ସେମାନଙ୍କୁ ଅଧିକାରୀଙ୍କ ଟେବୁଲ ଉପରେ ଛାଡ଼ି ଦିଆଯାଇଥିଲା।ଏହା ସହିତ ଅଧିକାରୀଙ୍କୁ ନୋଟ୍‌ର ମାଳ ପିନ୍ଧାଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରତୀକାତ୍ମକ ଭାବେ ପ୍ରଶ୍ନ ଉଠାଇଥିଲେ ପ୍ରତିବାଦକାରୀ।

ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢ଼ିଛି।ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ କୁକୁର କାମୁଡ଼ିଥିବା ଅଭିଯୋଗ ରହିଛି। ଆଗକୁ ଗଣେଶୋତ୍ସବ ସମେତ ବିଭିନ୍ନ ପର୍ବପର୍ବାଣି ଥିବାରୁ ସମସ୍ୟା ଆହୁରି ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ପ୍ରତିବାଦକାରୀ।ବୁଲା କୁକୁର ସମସ୍ୟାର ସମାଧାନ ଅପେକ୍ଷା ପ୍ରଶାସନ ଟେଣ୍ଡର ପ୍ରକ୍ରିୟା ଉପରେ ଅଧିକ ଧ୍ୟାନ ଦେଉଛି ବୋଲି ଅଭିଯୋଗ କରିଛନ୍ତି ବିକ୍ରମ ରାନ୍ଧଭେ।

ତୁରନ୍ତ ବୁଲା କୁକୁର ସମସ୍ୟାର ସମାଧାନ କରାଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପ୍ରତିବାଦକାରୀ।ପ୍ରଶାସନ ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ପୁଣି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ରମ ରାନ୍ଧଭେ।ନିଫାଡର ଏହି ନିଆରା ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Related Articles

Back to top button