
ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗକୁ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ | ଶଙ୍ଖ ଭବନରେ ମ୍ୱାଦିକ ସମ୍ମିଳନୀ କରି ପ୍ରଶ୍ନବାଣରେ ସରକାରଙ୍କୁ ଘେରିଛନ୍ତି | ଡ଼ ସାହୁ କହିଥିଲେ ଯେ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଏମଏମଡିଆର ଆଇନ ସଂଶୋଧନ ରାଜ୍ୟର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ | ବିଧାନସଭାର ବିଶେଷ ଅଧିବେଶନ ଓ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଚିଠିର ଉତ୍ତର ରଖିବାକୁ ଉଚିତ ମଣି ନାହାନ୍ତି ମୁଖ୍ୟମନ୍ତ୍ରୀ । ଶିଷ୍ଟାଚାର ଓ ସୌଜନ୍ୟତା ଭୁଲି ଯାଇଥିବା ସରକାରଙ୍କୁ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ । ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ଖଣିର ମାଲିକାନା ରାଜ୍ୟ ହାତରୁ ଛଡେଇ ନିଆଯାଇଛି । ଖଣି ହାତରେ ନଥିବା ବେଳେ, କେନ୍ଦ୍ର ସରକାରଙ୍କ ହାତ ଟେକା ଦାନକୁ ଅପେକ୍ଷା କରି ରହିଥିବା ରାଜ୍ୟ ସରକାର କେଉଁ ଅଧିକାର ନେଇ ୟୁଏଇ ଗସ୍ତ କରି ପୁଞ୍ଜିନିବେଶ ପାଇଁ ଆହ୍ୱାନ କରୁଛନ୍ତି ?
କେବଳ ଏତିକି ନୁହେଁ ଆହୁରି କହିଥିଲେ ଯେ, ରାଜ୍ୟ ସ୍ୱାର୍ଥ ସମ୍ୱନ୍ଧରେ ଉଠାଯାଇଥିବା ଏମଏମଡିଆର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି କାହିଁକି? ସର୍ବଦଳୀୟ ବୈଠକ ଡାକିବା ପାଇଁ କୁହାଯାଇଥିଲା, ତାକୁ ମଧ୍ୟ ଅଣଦେଖା କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁସାରେ ଖଣି କ୍ଷେତ୍ରରୁ ଆଦାୟ ହେବାକୁ ଥିବା ବକେୟା ଟିକସ ବାବଦକୁ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାରୁ ଉର୍ଧ୍ଵ କ୍ଷତି ସହିଲା । ଏଥି ସହିତ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା କ୍ଷତି ହେବ । କିନ୍ତୁ ରାଜ୍ୟ ବିଜେପି ସରକାର ଓଡ଼ିଶାର ଏତେବଡ଼ ଆର୍ଥିକ କ୍ଷତିକୁ ନିରବ ସମର୍ଥନ କରୁଛନ୍ତି । କାହା ସ୍ୱାର୍ଥରେ ଏମଏମଡିଆର ଆଇନର ସଂଶୋଧନ କରାଗଲା ? କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି, ସେଥିପାଇଁ ଆଦାୟ ହେବାକୁ ଥିବା ଏତେବଡ଼ ବକେୟା ଅର୍ଥରାଶି ଛାଡି ଦିଆଗଲା ।
ଏହାଦ୍ୱାରା ଖଣି ମାଲିକ ମାନେ ଲାଭବାନ ହେଲେ ଏବଂ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟର ଅଧିକାର କେନ୍ଦ୍ର ଅଧୀନକୁ ଚାଲିଗଲା । ରାଜ୍ୟର ଅଧିକାର ଛଡାଇ ନିଆଗଲା, କିନ୍ତୁ ରାଜ୍ୟ ବିଜେପି ସରକାରଙ୍କ ସ୍ୱାଭିମାନ ଜାଗ୍ରତ ହେଉନାହିଁ । ରାଜ୍ୟ ସ୍ୱାବଲମ୍ୱୀ ହେବା ପାଇଁ ପ୍ରକୃତି ଦେଇଥିବା ସମ୍ୱଳ ଆଉ ଆମ ହାତରେ ରହିବ ନାହିଁ । ତେଣୁ ଏମଏମଡିଆର ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହାକୁ ପ୍ରତ୍ୟାହାର ନ କଲେ ବିଜେଡି ତରଫରୁ ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ ।



