ପୁଣି ବିପୁଳ ମାଓ ସାମଗ୍ରୀ ଠାବ କଲା ମାଲକାନଗିରି ପୋଲିସ୍


ଭୁବନେଶ୍ବର: ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲେ ହେଁ ଜଙ୍ଗଲ ଭିତରେ ଲୁଚାଯାଇଥିବା ମାଓ ସାମଗ୍ରୀ ଠାବ କରିବା ଜାରି ରଖିଛି ମାଲକାନଗିରି ପୋଲିସ୍। ଏହି କ୍ରମରେ ମାଥିଲି ଥାନା ଅଞ୍ଚଳରୁ ପୁଣି ଏକ ବଡ଼ ମାଓ ଡମ୍ପ ଠାବ କରିଛନ୍ତି ଡିଭିଏଫ୍ ଯବାନ। ଉକ୍ତ ଡମ୍ପରୁ ବନ୍ଧୁକ, ଆଇଇଡି , କ୍ଲେମୋର୍ ମାଇନ୍ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସ୍ପି ବିନୋଦ ପାଟିଲ୍ ଏଚ୍ ଏହି ସୂଚନା ଦେଇଛନ୍ତି। ଏସ୍ପିଙ୍କ କହିବା ଅନୁସାରେ, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ୍ ଗତ ଜୁନ୍ ମାସରୁ ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତିନୋଟି ମାଓ ଡମ୍ପ ଠାବ କରିସାରିଛି। ଏବେ ପୁଣି ମିଳିଥିବା ଗୁପ୍ତ ସୂଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିରମିଟି, କୋଟୱାପଦର ଓ କଦଭାଟା ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ଅଞ୍ଚଳଗୁଡ଼ିକ ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷ୍ପାଳ ଥାନା ସୀମାକୁ ଲାଗି ରହିଛି। ଅପରେସନ୍ ସମୟରେ ଯବାନମାନେ ଜଙ୍ଗଲ ଭିତରୁ ଏହି ମାଓ ଡମ୍ପ ଠାବ କରିବାରେ ସଫଳ ହୋଇଥିଲେ।



