Uncategorized

ମହାନଦୀ କୂଳରେ ମାଈ ହାତୀ , ବାଙ୍କୀ-କଟକ ରାସ୍ତାରେ ଭୟର ବାତାବରଣ

ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ପାଥପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ବନ ବିଭାଗର ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଏକ ୮ ଟିକିଆ ହାତୀପଲ ଅଞ୍ଚଳକୁ ପଶି ଆସିଥିଲେ । ହାତୀପଲ ରାତି ସାରା ପାଥପୁର ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପଶି ଉପଦ୍ରବ କରିଥିଲା । ଫଳରେ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା । ତେବେ ଭୋର ସମୟରେ ହାତୀ ପଲରୁ ଗୋଟିଏ ମାଈ ହାତୀ ଅଲଗା ହୋଇ ମହାନଦୀ କୂଳରେ ରହିଯାଇଥିଲା । ସକାଳ ହେବା ପରେ ହାତୀଟି ବାଙ୍କୀ-କଟକ ମୁଖ୍ୟ ରାସ୍ତା ନିକଟକୁ ଆସିବା ସହ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା । ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀଟିକୁ ଘଉଡ଼ାଇ ଜଙ୍ଗଲ ମଧ୍ୟକୁ ଫେରାଇ ଦିଆଯାଇଛି । ଅନ୍ୟପଟେ ହାତୀ ଚଳାଚଳ ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ହାତୀଙ୍କୁ ଉତ୍ତେଜିତ ନକରିବା ସହ ଏକାକୀ ଜଙ୍ଗଲ ଅଞ୍ଚଳକୁ ନଯିବାକୁ କୁହାଯାଇଛି ।

Related Articles

Back to top button