Uncategorized

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା

ଭୁବନେଶ୍ବର: ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସହାୟତା ତୁରନ୍ତ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଓ ପରିବାରଙ୍କୁ ଗ୍ରାଚୁଇଟସ୍ ରିଲିଫ୍ ଯୋଗାଇ ଦିଆଯିବ ଏବଂ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ। ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ।

Related Articles

Back to top button