ସେପ୍ଟେମ୍ବର ୩୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା


ଭୁବନେଶ୍ବର: ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସ୍ଏସ୍ଟିଇଟି-୨୦୨୬ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ଦୁଇଟି ପେପରରେ ହେବାକୁ ଥିବା ପରୀକ୍ଷା ପେପର-୧ ଏବଂ ପେପର-୨ ଏକ ସମୟରେ ହେବ । ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟ୍ ଯାଏ ପରୀକ୍ଷା ଚାଲିବ । ଫର୍ମ ପୂରଣ ପୂର୍ବରୁ ଏଥର ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଆବେଦନ ନିମନ୍ତେ ପରୀକ୍ଷା ସୂଚୀ ଜାରି କରାଯାଇଛି । ଆବେଦନ ଲାଗି ଫର୍ମପୂରଣ ତାରିଖ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ହାଇସ୍କୁଲ୍ରେ ଶିକ୍ଷକତା ପାଇଁ ଏହି ଯୋଗ୍ୟତା ପରୀକ୍ଷା କରାଯାଉଛି । ଆବେଦନ ପାଇଁ ବିଏଡ୍ ଡିଗ୍ରୀ ସର୍ବନିମ୍ନ ଯୋଗ୍ୟତା ରହିଛି । ୧୫୦ ନମ୍ବର ବିଶିଷ୍ଟ ପରୀକ୍ଷା ଓଏମ୍ଆର୍ ସିଟ୍ରେ ହେବ । ଯୋଗ୍ୟତା ଅର୍ଜନ ଲାଗି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ୬୮ ନମ୍ବର ଏବଂ ଏସ୍ସି , ଏସ୍ଟି , ଓବିସି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ଯୋଗ୍ୟତା ଲାଗି ୫୩ ନମ୍ବର ଧାର୍ଯ୍ୟ ରହିଛି ।




