ଲୋକାର୍ପିତ ହେଲା ଅତ୍ୟାଧୁନିକ ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର


ଭୁବନେଶ୍ବର: ରାଜ୍ୟର ସାସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଶାର ସର୍ବବୃହତ୍ ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀର ଶୁଭ ଉଦଘାଟନ କରିଥିଲେ। ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତିର ବିକାଶ ଦିଗରେ ଏହି ପାଠାଗାର କଟକ ତଥା ସମଗ୍ର ଓଡ଼ିଶା ପାଇଁ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତବ୍ୟକ୍ତି କରିଥିଲେ ମନ୍ତ୍ରୀ ଡା. ମହାପାତ୍ର । ଏ ସହରକୁ ଆହୁରି ସରସ ସୁନ୍ଦର କରିବା ଦାୟିତ୍ଵ ଆମ ସମସ୍ତଙ୍କର । ଆମେ ସୁବବେଳେ ବିକାଶର ରାସ୍ତାରେ ଯିବାକୁ ଚେଷ୍ଟା କରୁଛୁ। ଯେତେବେଳେ ସବୁ ଅଞ୍ଚଳ ବିକଶିତ ହେବ ସେତେବେଳେ ଆମର ଲକ୍ଷ୍ୟ ମଧ୍ୟ ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ। କଟକ ସହର ପାଇଁ ଯାହା ଆବଶ୍ୟକ ଥିବ ତାହାକୁ ଆମେ ପ୍ରାଥମିକତା ଭିତ୍ତିରେ ପୂରଣ କରିବୁ ବୋଲି ଆଶ୍ଵାସନା ଦେଇଥିଲେ ମୁଖ୍ୟଅତିଥି । ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିରଦୋସ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ। ଜ୍ଞାନର ଦୀପ ଜଳିଲେ, ପ୍ରଗତିର ପଥ ଆପେ ଆପେ ଆଲୋକିତ ହୁଏ ତେଣୁ ପୁସ୍ତକ ସହ ବନ୍ଧୁତା ହିଁ ଜୀବନର ସର୍ବଶ୍ରେଷ୍ଠ ବିନିଯୋଗ ବୋଲି ଅତିଥିମାନେ ମତବ୍ୟକ୍ତି କରିଥିଲେ । କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, କଟକ ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ପ୍ରମୁଖ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶ୍ଵନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଉଦଘାଟନ ଉତ୍ସବ ଅବସରରେ ଲାଇବ୍ରେରୀ ମ୍ୟାନେଜମେଣ୍ଟ ସିଷ୍ଟମର ଉଦଘାଟନ କରାଯାଇଥିଲା । ପାଠାଗାର ଉଦଘାଟନ ଅବସରରେ କଟକର ୩୫ ଜଣ ପ୍ରତିଷ୍ଠିତ ପ୍ରକାଶକଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ ଅତିଥି । କେଏମସିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ପାଇଁ ଏକ ସ୍ଵତନ୍ତ୍ର ଲୋଗୋର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଗୁରୁଡିଝାଟିଆଠାରେ ୫ ଏକର ଜମିରେ ୨୧ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଏହାକୁ ଭରଚୁଆଲି ଶୁଭାରମ୍ଭ କରିଥିଲେ । ଏହି ଅତ୍ୟାଧୁନିକ କେନ୍ଦ୍ରୀୟ ପାଠାଗାର କଟକ ସହର ସହିତ ସମଗ୍ର ରାଜ୍ୟର ଗବେଷକ, ଛାତ୍ରଛାତ୍ରୀ ଓ ପାଠକପାଠିକାଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ସାବ୍ୟସ୍ତ ହେବା ସହ ଜ୍ଞାନ, ଗବେଷଣା ଓ ବୌଦ୍ଧିକ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ ବୋଲି କହିଥିଲେ କଟକ ମହାନଗର ନିଗନର କମିଶନର ସୁଶ୍ରୀ କୀରଣଦୀପ କୌର ସହୋତା ଏବଂ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।




