ଗଣମାଧ୍ୟମକୁ ଗଜପତି ମହାରାଜ ଙ୍କ ମତ

ଭୁବନେଶ୍ୱର ,ଗଜପତି ମହାରାଜ ଦିବ୍ୟସିଂହଦେବ କହିଛନ୍ତି ରଥଯାତ୍ରା ଆଉ ପୁରୀ, ଓଡ଼ିଶା କିମ୍ବା ଦେଶରେ ସୀମିତ ହୋଇ ରହିନାହିଁ; ଏହା ବିଶ୍ୱବ୍ୟାପୀ ହୋଇସାରିଛି ।ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱବ୍ୟାପୀ ହେଉ।ରଥଯାତ୍ରା ଦର୍ଶନ କରି ଅଗଣିତ ଶ୍ରଦ୍ଧାଳୁ ଆନନ୍ଦିତ ହୁଅନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ହେଉ।ସମସ୍ତଙ୍କ ସହଯୋଗ ରହିଲେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିବ ବୋଲି, ସେ କହିଛନ୍ତି। ସମ୍ପୂର୍ଣ୍ଣ ଭକ୍ତି ଓ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁମାନେ ରଥଯାତ୍ରା ଦର୍ଶନ କରନ୍ତୁ ଏବଂ ନିଜ ଜୀବନକୁ ଧନ୍ୟ କରନ୍ତୁ। ଚଳିତବର୍ଷ ରାଜପ୍ରସାଦ ବିଜେ କାର୍ଯ୍ୟକ୍ରମରେ, ସେବକଙ୍କ ସହ ମନ୍ଦିର ପ୍ରଶାସନ ଓ ପୁଲିସ ଅଧିକାରୀ ସାମିଲ ହେବା ଆନନ୍ଦର ବିଷୟ। ମହାପ୍ରଭୁଙ୍କ ପହଣ୍ଡି ଯେପରି ସୁବିଧାରେ ହେବ ଏବଂ ଭକ୍ତମାନେ ଦର୍ଶନ କରିପାରିବେ, ସେଥିପାଇଁ ଦଇତାପତିଙ୍କୁ ପରାମର୍ଶ ଦିଆଯାଇଛି ।ରଥ ଉପରେ ଅଧିକ ସେବକ ରହିବା ଉଚିତ ନୁହେଁ କିମ୍ବା ମହାପ୍ରଭୁଙ୍କ ଭୁଜ ଭିତରେ କୌଣସି ସେବକ ରହିବେ ନାହିଁ। ଏଥିପାଇଁ ସେବକମାନଙ୍କୁ, ପରାମର୍ଶ ଦିଆଯାଇଛି। ରଥ କର୍ଡନ ଭିତରେ ଅଧିକ ଲୋକ ରହୁଥିବାରୁ ରଥଟଣାରେ ଗତବର୍ଷ ସମସ୍ୟା ସୃଷ୍ଟି ହୋଇଥିଲା। ଗତବର୍ଷ ଅଘଟଣର ଯେପରି ପୁନରାବୃତ୍ତି ନହୁଏ, ତାହାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି। ସେହିପରି, ସୂର୍ଯ୍ୟାସ୍ତ ପରେ ମଧ୍ୟ ମଶାଲ ଜାଳି ରଥଟଣା ଯାଇପାରିବ ବୋଲି ଗଜପତି ମହାରାଜ କହିଛନ୍ତି।




