ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତିରେ ନିର୍ମିତ INS ମହେନ୍ଦ୍ରଗିରି

ଭୁବନେଶ୍ୱର ,ଆଇଏନଏସ୍ ମହେନ୍ଦ୍ରଗିରି ହେଉଛି ଭାରତୀୟ ନୌସେନାର ଷଷ୍ଠ ପ୍ରୋଜେକ୍ଟ-17A ଷ୍ଟେଲ୍ଥ ଫ୍ରିଗେଟ୍ । ପୂର୍ବଘାଟ ପର୍ବତମାଳାର ପର୍ବତ ମହେନ୍ଦ୍ରଗିରି ଅନୁସାରେ, ଏହାକୁ ନାମିତ କରାଯାଇଛି । ‘ମହେନ୍ଦ୍ରଗିରି’ ନିର୍ମାଣରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତି ବ୍ୟବହାର ହୋଇଛି। ଏହାକୁ ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ ଡିଜାଇନ୍ କରିଥିବା ବେଳେ, ମୁମ୍ବାଇ ସ୍ଥିତ ମଜାଗାଓଁ ଡକୟାର୍ଡରେ ନିର୍ମାଣ କରାଯାଇଛି । ଆଜି ନୌବାହିନୀକୁ ମିଳିଛି ଷ୍ଟେଲଥ୍ ଫ୍ରିଗେଟ୍ ଆଇଏନଏସ୍ ମହେନ୍ଦ୍ରଗିରି । ଆଜି ବିଶାଖାପାଟଣାରେ ଏହାକୁ ଲୋକାର୍ପିତ କରିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନୌ-ସାମରିକ ଯୁଦ୍ଧ କୌଶଳରେ ଷ୍ଟେଲଥ୍ ଫ୍ରିଗେଟର ଅର୍ଥ ହେଉଛି ଗୋଇନ୍ଦା ଯୁଦ୍ଧଜାହାଜ ବା ଶତ୍ରୁର ରାଡାରରେ, ଧରା ପଡୁ ନଥିବା ଯୁଦ୍ଧ ଜାହାଜ ।ଆଇଏନଏସ୍ ମହେନ୍ଦ୍ରଗିରିରେ ଭୂପୃଷ୍ଠରୁ ଭୂପୃଷ୍ଠ ତଥା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା,କ୍ଷେପଣାସ୍ତ୍ର ପ୍ରଣାଳୀ, ଅତ୍ୟାଧୁନିକ ଇଲେକଟ୍ରୋନିକ୍ ୱାରଫେୟାର ସିଷ୍ଟମ, ଆଣ୍ଟି ସବମେରାଇନ ସିଷ୍ଟମ ତଥା ଇଣ୍ଟିଗ୍ରେଟେଡ୍ କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ ଲଗାଯାଇଛି । ଏଥିରେ ଲାଗିଥିବା ଅତ୍ୟାଧୁନିକ ଷ୍ଟେଲଥ୍ ଟେକନିକ୍ ଯୋଗୁଁ ଏହାକୁ ସହଜରେ ଶତ୍ରୁ ରାଡାର, ଠାବ କରିପାରିବ ନାହିଁ ।




