
ଭୁବନେଶ୍ୱର,ସାରା ଓଡ଼ିଶାରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ, ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ ଆସନ୍ତା ଜୁଲାଇ ୩ ତାରିଖ ବେଳକୁ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ, ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ସକାଳୁ ରାଜ୍ୟର ଅନେକ ସ୍ଥାନରେ, ବର୍ଷା ଲାଗିରହିଛି। ବିଶେଷ କରି ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, କୋରାପୁଟ, ପୁରୀ, ଗଜପତି, ଜଗତସିଂହପୁର, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ମାଲକାନଗିରି, ଦେବଗଡ଼ ଏବଂଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକରେ, ଝିପିଝିପିରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି।ଆସନ୍ତା ସାତ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସାଧାରଣରୁ, ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସୋମବାରଠାରୁ ବର୍ଷାର ପ୍ରକୋପ ଆହୁରି ବଢ଼ିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ, ଚେତାବନୀ ଦିଆଯାଇଛି। ସରକାରୀ ରେକର୍ଡ ଅନୁଯାୟୀ, ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ, ହାରାହାରି ୨୦୯ ମିଲିମିଟର ବର୍ଷା ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶାରେ ସୋମବାରଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବେ ବର୍ଷା ଜାରି ରହିବ।




