
ଭୁବନେଶ୍ୱର ,ପୁରୀ ବାସିନ୍ଦା ନିଜ ଆଧାର କାର୍ଡ଼କୁ ସ୍କାନ କରି, ସିଧା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ। ଏଥିପାଇଁ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଆଜି ଏପରି ଘୋଷଣା କରିଛନ୍ତି, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ପୁରୀ ବାସିନ୍ଦା ଯେପରି ଲମ୍ବା ଧାଡ଼ିରେ ଠିଆ ନହୋଇ ସହଜରେ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ସହାୟତାରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏହି ପ୍ରସ୍ତାବିତ ବ୍ୟବସ୍ଥା ଅଧୀନରେ, ପୁରୀର ସ୍ଥାନୀୟ ବାସିନ୍ଦାମାନେ, ସେମାନଙ୍କର ଆଧାର କାର୍ଡ ସ୍କାନ କରି, ମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ଏହି ବ୍ୟବସ୍ଥା ମଧ୍ୟମରେ କେବଳ ପୁରୀ ବାସିନ୍ଦାମାନେ ଲାଭ ଉଠାଇ ପାରିବେ। ସେଥିପାଇଁ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ, ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।ମଙ୍ଗଳବାର ପୁରୀଠାରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ। ଏଥିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ କହିଥିଲେ; ଯେତେବେଳେ ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ ହୁଅନ୍ତି, ସେତେବେଳେ, ବଡ଼ ଧରଣର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୁଏ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ପରିଚାଳନା ଯୋଜନା, ପ୍ରସ୍ତୁତ କରାଯାଇଛି।ଉତ୍ସବ ସମୟରେ ଆସିବାକୁ ଥିବା ବହୁ ସଂଖ୍ୟକ ଗାଡ଼ି ପାଇଁ ୮ଟି ନୂତନ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ପ୍ରବଳ ଭିଡ଼ ମଧ୍ୟରେ ଶ୍ୱାସକ୍ରିୟାରେ ଅସୁବିଧା କିମ୍ବା ଶ୍ୱାସରୁଦ୍ଧ ଅନୁଭବ କରୁଥିବା ବ୍ୟକ୍ତିଙ୍କ ପାଇଁ ଅକ୍ସିଜେନ ସୁବିଧା ଯୋଗାଇ ଦିଆଯିବ।




