
ସମ୍ବଲପୁର, ୦୮/୦୬/୨୦୨୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ବାରମ୍ବାର ଘଟୁଥିବା ପ୍ରଶ୍նପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ସରକାର ଏବଂ ଶିକ୍ଷା ବିଭାଗ ଉପରେ ବର୍ଷିଛି କଂଗ୍ରେସ। ସମ୍ବଲପୁରସ୍ଥିତ ଗ୍ରାଣ୍ଡଶିବା ସମ୍ମେଳନ କକ୍ଷରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ଓ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ବାରମ୍ବାର ଅଯୋଗ୍ୟତାର ପ୍ରମାଣ ଦେବା ପରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ତାଙ୍କର ସବୁଠାରୁ ବଡ଼ ଭୁଲ୍ ଏବଂ ତାଙ୍କୁ ସୁରକ୍ଷା ଦେବା ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମାନ ଭୁଲ୍ ଅଟେ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପିସିସି ସଭାପତି କହିଛନ୍ତି ଯେ, ଆସନ୍ତା ଜୁନ୍ ୧୦ ତାରିଖରେ ସମ୍ବଲପୁର ମାଟିରେ ଏକ ଐତିହାସିକ ଛାତ୍ରଯୁବ ସମାବେଶ ଆୟୋଜିତ ହେବ। ଏହି ସମାବେଶ ଆଗାମୀ ଦିନ ପାଇଁ ଅନେକ ସ୍ପଷ୍ଟବାଦୀ ଛାତ୍ରନେତା ସୃଷ୍ଟି କରିବାରେ ଏକ ବଡ଼ ପ୍ଲାଟଫର୍ମ ସାଜିବ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା କହ୍ନେୟା କୁମାର ଯୋଗଦେଇ ଛାତ୍ରସମାଜକୁ ପୁନର୍ସଂଗଠିତ କରିବା ସହ ସେମାନଙ୍କ ହକ୍ ପାଇଁ ସାଲିସବିହୀନ ସଂଗ୍ରାମ କରିବାକୁ ଦୀକ୍ଷିତ କରିବେ। କେନ୍ଦ୍ର ସରକାରଙ୍କ ଶିକ୍ଷାବ୍ୟବସ୍ଥାକୁ ନିନ୍ଦା କରି ସେ କହିଛନ୍ତି ଯେ, ବିଜେପି ଶିକ୍ଷାନୀତିକୁ ଏଭଳି ସ୍ତରକୁ ନେଇଗଲାଣି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି କିଏ ହେବେ, ତାହା ମଧ୍ୟ ଏବେ ଆର୍ଏସ୍ଏସ୍ (RSS) ସ୍ଥିର କରୁଛି। ତେବେ କଂଗ୍ରେସର ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ଏବଂ ଏଥିରେ ହିଂସାର କୌଣସି ସ୍ଥାନ ନାହିଁ।
ଶ୍ରୀ ଭକ୍ତ ଚରଣ ଦାସ ସରକାରୀ ଦଳ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଶାସକ ଦଳର ନେତା ଓ କର୍ମୀମାନେ ପୋଲିସ ପ୍ରଶାସନକୁ ନିଜର ଦଳୀୟ ଓ ବ୍ୟକ୍ତିଗତ କାର୍ଯ୍ୟରେ ଅପବ୍ୟବହାର କରୁଛନ୍ତି, ଯାହାକୁ ତୁରନ୍ତ ରୋକିବାକୁ ହେବ। ଏହା ସହିତ ଧାନ ସଂଗ୍ରହ ଋତୁରେ ବିଜେପି ସରକାର ଅହେତୁକ ଭାବେ ୪ରୁ ୬ ହଜାର କୋଟି ଟଙ୍କା ସଂଗ୍ରହ କରୁଥିବା ସେ ଅଭିଯୋଗ କରିଛନ୍ତି। ସମ୍ମିଳନୀରେ ଉପସ୍ଥିତ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ରାଜଗାଙ୍ଗପୁର ବିଧାୟକ ସି.ଏସ. ରାଜେନ ଏକ୍କା ସମାବେଶର ରୁଟ୍ ମ୍ୟାପ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ଭବିଷ୍ୟତକୁ ବର୍ବାଦ ହେବାରୁ ରକ୍ଷା କରିବା ପାଇଁ ଏବଂ ଛାତ୍ରମାନଙ୍କ ନ୍ୟାୟ ପାଇଁ କଂଗ୍ରେସ ଏକ ସୁସ୍ଥ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି।
ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରି କହିଛନ୍ତି ଯେ, ବିଗତ ୨୫ ଦିନ ମଧ୍ୟରେ ତିନି ତିନି ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ସହ ସମସ୍ତ ଖାଦ୍ୟ ଦ୍ରବ୍ୟର ଦାମ ଆକାଶଛୁଆଁ ହେଲାଣି। ରାଜ୍ୟ ସରକାର ୯୬୦ ଜଣ ପୋଲିସ ଏସଆଇ (SI) ନିଯୁକ୍ତି ଦେବା କଥା କହି ଏପର୍ଯ୍ୟନ୍ତ କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ତାର ହିସାବ ଦିଅନ୍ତୁ। ଅନ୍ୟପଟେ ଟାଟା ପାୱାର ଦ୍ୱାରା ୧୦ ହଜାର ବିଜୁଳି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି।
ଉପସ୍ଥିତ NSUI ଓ ପିସିସି ମୁଖପାତ୍ର ବିଭୁତି ମହାପାତ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ନିଜ ପିଲାମାନଙ୍କ ଓ ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଶିକ୍ଷାନୀତି ବିରୋଧୀ ସଂଗ୍ରାମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିବା ବେଳେ ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଅମିତ ଗୁରୁ ଏବଂ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।




