ଓଡ଼ିଶା

ବିଶ୍ୱ ପରିବେଶ ଦିବସରେ ବିଜେପିର ବ୍ୟାପକ ବୃକ୍ଷରୋପଣ: ଆସନ୍ତାପିଢ଼ୀ ପାଇଁ ଏକ ସୁନ୍ଦର ସବୁଜ ଭବିଷ୍ୟତ ଗଢ଼ିବାକୁ ମନମୋହନ ସାମଲଙ୍କ ଆହ୍ୱାନ

ଭୁବନେଶ୍ୱର, ୦୫/୦୬/୨୦୨୬: ଗଛ କଟା, ପ୍ରଦୂଷଣ ଓ ଜଳ ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ଦେଖାଦେଇଛି, ଯାହାଦ୍ୱାରା ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଏଭଳି ସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ପାଥେୟ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ତଥା ମାନ୍ୟବର ସାଂସଦ ଶ୍ରୀ ମନମୋହନ ସାମଲ ଏହି କାର୍ଯ୍ୟକ୍ରମରେ ଚାରା ରୋପଣ କରିବା ସହ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୧୦ଟି ଲେଖାଏଁ ବୃକ୍ଷ ରୋପଣ କରି, ତାର ଉପଯୁକ୍ତ ଯତ୍ନ ନେଇ ବଡ଼ ଦ୍ରୁମରେ ପରିଣତ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ “ମା’ ପାଇଁ ଗଛଟିଏ” ଆହ୍ୱାନ ଓ ଅଭିଯାନ ସମସ୍ତଙ୍କୁ ଗଭୀର ଭାବେ ପ୍ରଭାବିତ ଓ ଅନୁପ୍ରାଣିତ କରିଛି। ବିଜେପି ପରିବାର ପରିବେଶ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ଅଟେ। ପ୍ରକୃତି ପ୍ରତି ଥିବା ସାମ୍ବିଧାନିକ ଦାୟିତ୍ୱବୋଧକୁ ସ୍ୱୀକାର କରି ଆସନ୍ତାପିଢ଼ୀ ପାଇଁ ଏକ ସୁନ୍ଦର ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଗଛ ଲଗାଇ ଧରିତ୍ରୀ ମାତାକୁ ସୁଜଳା, ସୁଫଳା ଓ ହରିତ ରଖିବା ସହ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ଶପଥ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ଅନ୍ୟପଟେ, ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲା ବାଙ୍କୀ ବ୍ଲକର ପ୍ରସିଦ୍ଧ ଅଂଶୁପା ହ୍ରଦ ନିକଟସ୍ଥ ଉଦ୍ୟାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରି ବହୁ ମୂଲ୍ୟବାନ ବୃକ୍ଷରୋପଣ କରିଥିଲେ। ସେ କହିଛନ୍ତି ଯେ, ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଜଳବାୟୁ ପରିବର୍ତ୍ତନ ସମୟରେ ପରିବେଶର ସୁରକ୍ଷା ତଥା ପ୍ରାକୃତିକ ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଏବଂ ବୃକ୍ଷରୋପଣ ହିଁ ଏହାର ଏକମାତ୍ର ବିକଳ୍ପ। ତେଣୁ ଧରିତ୍ରୀ ମାତା ଏବଂ ନିଜ ଜନ୍ମଦାତ୍ରୀ ମା’ଙ୍କ ସ୍ମୃତି ଓ ସମ୍ମାନାର୍ଥେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ସୁରକ୍ଷା ଦାୟିତ୍ୱ ନେବାକୁ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଏହି ଗଣବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ନିରଞ୍ଜନ ରାଉତରାୟ, ଶ୍ରୀ ଆଲୋକ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ଆର୍ତବନ୍ଧୁ ପୃଷ୍ଟି, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଗନ୍ତିଆ, କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ସ୍ୱାଇଁ ଏବଂ କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ରଞ୍ଜିତ ଆଚାର୍ଯ୍ୟଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ପରିବେଶ ପ୍ରେମୀ ସାମିଲ ହୋଇଥିଲେ। ଏହା ବ୍ୟତୀତ ବିଶ୍ୱ ପରିବେଶ ଦିବସ ଅବସରରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବ୍ୟାପକ ଭାବେ ଚାରା ରୋପଣ କରାଯାଇଛି।

Related Articles

Back to top button