ଓଡ଼ିଶା

ସିଆରପିଏଫ୍ ପ୍ରିୟଦର୍ଶିନୀ ମାର୍କେଟର ପୁନଃବିକାଶ କରିବ ବିଡିଏ

ଭୁବନେଶ୍ୱର, ୦୫/୦୬/୨୦୨୬: ରାଜଧାନୀର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ସିଆରପିଏଫ୍ ସ୍କୋୟାରସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ବ୍ୟାପକ ପୁନଃବିକାଶ (Redevelopment) କରିବାକୁ ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA) ନିଷ୍ପତ୍ତି ନେଇଛି। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନ ଏହି ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରିବା ସହ ସ୍ଥାନୀୟ ବ୍ୟବସାୟୀ ଓ ଦୋକାନୀମାନଙ୍କ ସହ ଆଲୋଚନା କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନା ସମୟରେ ଏକାମ୍ର ବିଧାୟକ ବାବୁ ସିଂହ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣା ଏବଂ ବିଡିଏର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ, ଦଶନ୍ଧି ଦଶନ୍ଧି ପୁରୁଣା ଏହି କୋଠାର ପ୍ରାଥମିକ ସମୀକ୍ଷାରୁ ଜଣାପଡ଼ିଛି ଯେ ବାରମ୍ବାର ମରାମତି ଏବଂ ରକ୍ଷଣାବେକ୍ଷଣ ଦ୍ୱାରା ଏହାର ଦୀର୍ଘସ୍ଥାୟୀ ସମାଧାନ ସମ୍ଭବ ନୁହେଁ। କୋଠାର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ବାଣିଜ୍ୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଡିଏ ଏହି ମାର୍କେଟ କମ୍ପ୍ଲେକ୍ସକୁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଉନ୍ନତ ଜନସୁବିଧା ସହ ପୁନଃନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

୧୯୮୭ ମସିହାରେ ବିଡିଏ ଦ୍ୱାରା ନିର୍ମିତ ଏହି ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସଟି ପ୍ରାୟ ୧.୪୪ ଏକର ପରିମିତ ଜମି ଉପରେ ବିସ୍ତୃତ ହୋଇ ରହିଛି। ଏଥିରେ ମୋଟ ୧୫୨ଟି ଦୋକାନ ଘର ରହିଛି, ଯେଉଁଥିରୁ ଗ୍ରାଉଣ୍ଡ ଫ୍ଲୋରରେ ୭୨ଟି ଏବଂ ପ୍ରଥମ ମହଲାରେ ୮୦ଟି ୟୁନିଟ୍ ରହିଛି। ଏହା ବ୍ୟତୀତ ୧୦୦ଟି ଭେଣ୍ଡିଂ ପ୍ଲାଟଫର୍ମ (ପିଣ୍ଡି), ୨ଟି ରେଷ୍ଟୁରାଣ୍ଟ ଏବଂ ୫ଟି ଅଫିସ୍ ସ୍ପେସ୍ ରହିଛି। ଏହି ସମସ୍ତ ଦୋକାନ ଘର ମୂଳତଃ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ମାସିକ ଲାଇସେନ୍ସ ଏବଂ ଭଡ଼ା ସୂତ୍ରରେ ଆବଣ୍ଟନ କରାଯାଇଥିଲା।

ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣା କହିଛନ୍ତି ଯେ, ଦୋକାନୀ ଏବଂ ଆବଣ୍ଟନଧାରୀମାନଙ୍କ ସହ ଏକାଧିକ ସେସନ୍ ଆଲୋଚନା କରାଯିବା ପରେ ଏହି ପୁନଃବିକାଶ ପ୍ରସ୍ତାବକୁ ଚୂଡ଼ାନ୍ତ କରାଯାଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ବ୍ୟବସାୟୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ଏଥିସହ ସେମାନଙ୍କ ପାଇଁ ଅସ୍ଥାୟୀ ବିସ୍ଥାପନ ବ୍ୟବସ୍ଥା ଏବଂ ପ୍ରଚଳିତ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ଏହି ପ୍ରସ୍ତାବିତ ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ସହରର ଏହି ମୂଲ୍ୟବାନ ବାଣିଜ୍ୟିକ ଜମିର ସଠିକ୍ ଉପଯୋଗ କରିବା। ନୂତନ ଭାବେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଉନ୍ନତ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଧୁନିକ ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ସୁଯୋଗ ଉପଲବ୍ଧ କରାଯିବ। ଏହି ପୁନଃବିକାଶ ଫଳରେ ସହରରେ ଅଧିକ ବାଣିଜ୍ୟିକ ସ୍ପେସ୍ ସୃଷ୍ଟି ହେବ, ଯାହା ଗ୍ରାହକମାନଙ୍କୁ ଏକ ଉତ୍ତମ ଶପିଂ ଅନୁଭୂତି ଦେବା ସହ ବିଡିଏ ପାଇଁ ଅଧିକ ରାଜସ୍ୱ ମଧ୍ୟ ସୃଷ୍ଟି କରିବ।

Related Articles

Back to top button