
ଭୁବନେଶ୍ୱର ,ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ ହେଉଛି, ପିପିଲି ଚାନ୍ଦୁଆ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପିପିଲିର ଜବାହର ବିଦ୍ୟାପୀଠ ଖେଳପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ, ଗୁରୁବାର ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଜଗନ୍ନାଥପୁର ମୌଜାରେ, ୫ ଏକରରୁ, ଅଧିକ ଜମି ଉପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ, ୮୦ କୋଟି ଟଙ୍କା ବ୍ୟୟରେ, ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ର ସୁଇଚ୍ ଟିପି ଶିଳାନ୍ୟାସ କରିଥିଲେ । ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ସମନ୍ୱିତ “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର, ସିଧାସଳଖ ଉପକୃତ ହେବେ।



