ଓଡ଼ିଶାରାଜନୀତି

୧୧ ବର୍ଷ ପରେ ମଧ୍ୟ ଅଧୁରା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: କେନ୍ଦ୍ରକୁ ବିଜେଡିର କଡ଼ା ସମାଲୋଚନା

ଭୁବନେଶ୍ୱର, ୦୪/୦୬/୨୦୨୬: ଦୀର୍ଘ ୧୧ ବର୍ଷ ପରେ ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ଘୋଷଣା ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଛି ବୋଲି ବିଜୁ ଜନତା ଦଳ (ବିଜେଡି) କହି କଡ଼ା ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ଏହି ପ୍ରକଳ୍ପକୁ ନେଇ କେନ୍ଦ୍ରର ଆଭିମୁଖ୍ୟ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, କୋଷ୍ଟାଲ ହାଇୱେ କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ, ବରଂ ଏହା ଓଡ଼ିଶାର ଭାଗ୍ୟ, ଭବିଷ୍ୟତ, ପର୍ଯ୍ୟଟନ, ଅର୍ଥନୀତି ଓ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶ ସହ ଜଡ଼ିତ ଏକ ଐତିହାସିକ ପ୍ରକଳ୍ପ ଥିଲା। ୨୦୧୫ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୫٠ କିଲୋମିଟର ଦୀର୍ଘ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପୁରୀ ଜିଲ୍ଲାର ପିପିଲିଠାରେ ଘୋଷଣା କରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ ରାମେଶ୍ୱରରୁ କୋଣାର୍କ ଏବଂ କୋଣାର୍କରୁ ପାରାଦୀପ— ଏହି ଦୁଇଟି ଅଂଶ ପାଇଁ କେନ୍ଦ୍ର କ୍ୟାବିନେଟ୍ ୧୮,୩୦୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛି। ଏଥିରେ ପାରାଦୀପରୁ ଦୀଘା ପର୍ଯ୍ୟନ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଶାଳ ଉପକୂଳ ଅଞ୍ଚଳକୁ ଯୋଜନାରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି, ଯାହା ଓଡ଼ିଶାବାସୀଙ୍କୁ ଗଭୀର ଭାବେ ନିରାଶ କରିଛି।

ଶ୍ରୀ ଦାସବର୍ମା ଆହୁରି ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ ଘୋଷଣା ହେବା ଦିନଠାରୁ ବାରମ୍ବାର ଆଲାଇନମେଣ୍ଟ ପରିବର୍ତ୍ତନ, ତିନି ତିନି ଥର ଟେଣ୍ଡର ବାତିଲ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏହି ପ୍ରକଳ୍ପରେ ବାଧା ସୃଷ୍ଟି ହୋଇଛି। ପୂର୍ବରୁ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇଥିଲା, ତାହା ବିନା ଅର୍ଥନୈତିକ ମଞ୍ଜୁରୀରେ ଓଡ଼ିଶା ଲୋକଙ୍କୁ କେବଳ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରାଯାଇଥିଲା। ଚିଲିକା ଓ ଭିତରକନିକା ଅଞ୍ଚଳର ପରିବେଶଗତ ଆପତ୍ତି ଯୋଗୁଁ ଏହି ପ୍ରକଳ୍ପ ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଓଡ଼ିଶାବାସୀ ଆଶା କରିଥିଲେ ଯେ ମୂଳ ପରିକଳ୍ପନା ଅନୁଯାୟୀ ସମଗ୍ର ଉପକୂଳ ଅଞ୍ଚଳକୁ ସଂଯୋଗ କରୁଥିବା କୋଷ୍ଟାଲ ହାଇୱେ ନିର୍ମାଣ ହେବ। କିନ୍ତୁ ଓଡ଼ିଶା ପ୍ରତି ଥିବା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ପ୍ରକଳ୍ପର ମୂଳ ଢାଞ୍ଚାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଦିଆଯାଇଛି।

୨୦୧୫ ମସିହାରେ ଘୋଷଣା କରାଯାଇଥିବା ‘କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍’ ଏବଂ ‘ରାମେଶ୍ୱର-ଚନ୍ଦନପୁର’ ଜାତୀୟ ରାଜପଥ ପ୍ରକଳ୍ପର ବର୍ତ୍ତମାନର ବାସ୍ତବ ସ୍ଥିତି କ’ଣ, ସେ ନେଇ କେନ୍ଦ୍ର ସରକାର ଓ ଏନଏଚଏଆଇ (NHAI) କାହିଁକି ନୀରବ ରହିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏହାସହିତ ପାରାଦୀପରୁ ଦୀଘା ପର୍ଯ୍ୟନ୍ତ ଅବଶିଷ୍ଟ କୋଷ୍ଟାଲ ହାଇୱେ ଅଞ୍ଚଳର ଭବିଷ୍ୟତ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ ମତ ରଖନ୍ତୁ ବୋଲି ଦଳ ଦାବି କରିଛି। ଓଡ଼ିଶାବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇଲେ ହେବ ନାହିଁ, ବରଂ ପ୍ରକୃତ ବିକାଶ ହେବା ଆବଶ୍ୟକ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେର ମୂଳ ଡିପିଆର (DPR)କୁ ପୁନର୍ବାର ବିଚାର କରି ତାହାକୁ କାର୍ଯ୍ୟକାରୀ କରାଯାଉ ବୋଲି ବିଜୁ ଜନତା ଦଳ ଦୃଢ଼ ଦାବି କରୁଛି, ଯାହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଏବଂ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶକୁ ଏକ ନୂଆ ଦିଗ ମିଳିପାରିବ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼. ଲେନିନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button