ପୁରୀରେ ବ୍ରିକ୍ସ ‘ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପ’ ବୈଠକ: ଓଡ଼ିଶାର ବିଶ୍ୱସ୍ତରୀୟ ମଡେଲ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୦୪/୦୬/୨୦୨୬: ପବିତ୍ର ସହର ପୁରୀଠାରେ ଆଜି ବ୍ରିକ୍ସ (BRICS) ରାଷ୍ଟ୍ର ସମୂହ ‘ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପ’ର ବୈଷୟିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉଚ୍ଚସ୍ତରୀୟ ବୈଠକର ଟେକ୍ନିକାଲ ସେସନ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ, ଜୀବିକା ଓ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ତର୍ଜାତୀୟ ଏବଂ ଆନ୍ତଃ-ରାଜ୍ୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି।
ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପରିଚାଳନା ମଡେଲ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ଓଡ଼ିଶାର ଏହି ସଫଳ ମଡେଲ “ଶୂନ୍ୟ ମୃତ୍ୟୁହାର” (Zero Casualty) ନୀତି ଉପରେ ପର୍ଯ୍ୟବେସିତ। ଆଗୁଆ ସୂଚନା ପ୍ରଣାଳୀ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଓ ସମାବେଶୀ ଶାସନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା କ୍ରମାଗତ ଭାବେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଆସୁଛି। ବୈଠକର ମୂଳ ବିଷୟବସ୍ତୁ “ପ୍ରତିରୋଧ, ଅଭିନବତ୍ବ, ସହଯୋଗ ଏବଂ ସ୍ଥାୟୀ ବିକାଶ ପାଇଁ ପ୍ରସ୍ତୁତି” ରହିଥିବା ବେଳେ ‘ପୁରୀ ଅଧିବେଶନ’ ବିଶ୍ୱ ପାଇଁ ଏକ ନୂତନ ଗାଇଡଲାଇନ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ବିପର୍ଯ୍ୟୟ ଆଶଙ୍କା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଶ-ଦଫା କାର୍ଯ୍ୟସୂଚୀକୁ ପ୍ରଶଂସା କରିବା ସହ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ବୃହତ ପ୍ରକଳ୍ପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ:
-
ଉପକୂଳ ରାଜପଥ: ପ୍ରାୟ ୮,୩୦୧ କୋଟି ଟଙ୍କା ବ୍ୟୟରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୧୬୦ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ବାତ୍ୟା ସମୟରେ ଦ୍ରୁତ ସ୍ଥାନାନ୍ତରଣ, ଯୋଗାଣ ଶୃଙ୍ଖଳା ଏବଂ ଜରୁରୀକାଳୀନ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ।
-
କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ: ୮,୩୦୭ କୋଟି ଟଙ୍କା ବିନିଯୋଗରେ ୧୧୧ କିଲୋମିଟର ବିଶିଷ୍ଟ ପ୍ରକଳ୍ପ।
-
ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ: ନୀତି ଆୟୋଗ ସହାୟତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ୫,୦୦୦ କୋଟି ଟଙ୍କାର ଯୋଜନା।
ଏହି ସମସ୍ତ ପ୍ରକଳ୍ପ ଓଡ଼ିଶାର ଅର୍ଥନୈତିକ ପ୍ରଗତି ସହ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତିକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କ୍ରମାଗତ ଭାବେ ବଢ଼ୁଥିବା ତାପମାତ୍ରା, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ ଓ ଉପକୂଳ କ୍ଷୟର ମୁକାବିଲା ପାଇଁ ସ୍ଥାୟୀ ସହରାଞ୍ଚଳ ଯୋଜନା ଏବଂ ଉନ୍ନତ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଥିଲେ ଯେ, ୧୯୯୯ ମସିହାର ମହାବାତ୍ୟାରୁ ଶିକ୍ଷା ଲାଭ କରି ଓଡ଼ିଶା ଆଜି ଏକ ସୁଦୃଢ଼ ଗୋଷ୍ଠୀଗତ ପ୍ରତିକ୍ରିୟା (Response) ବ୍ୟବସ୍ଥା ଓ କମ୍ୟୁନିଟି ସହଭାଗିତା ପ୍ରସ୍ତୁତ କରିପାରିଛି, ଯେଉଁଠି ସୂଚନା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ତ୍ୱରିତ ପହଞ୍ଚୁଛି।
ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ର ସଦସ୍ୟ କୃଷ୍ଣ ଏସ୍. ବତ୍ସ ଏବଂ ସଦସ୍ୟା ରୀତା ମିଶ୍ର ମଧ୍ୟ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।




