
ଭୁବନେଶ୍ୱର ,ଖଣିଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କର କଲ୍ୟାଣକୁ ଅଧିକ ଫୋକସ୍ କରାଯିବା ନେଇ, କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଯେଉଁ ଖଣିଜ ବ୍ଲକ୍ ଗୁଡ଼ିକ ନିଲାମ ହୋଇଛି, ତାହାର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ, ସହଯୋଗ କାମନା କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖଣି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ଆଦି ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି। ତେଣୁ, ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଶି ଏକ ଉଚ୍ଚସ୍ତରୀୟ ବୈଠକ ଜରିଆରେ, ସମସ୍ତ ବିଷୟ ଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି ଜାତୀୟ ଅର୍ଥନୀତିରେ, ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି, ସିଏମ ମୋହନ।




