ଓଡ଼ିଶା

ସମାଜ ସେବା ହିଁ ପ୍ରକୃତ ମାନବିକତା : ରାଜ୍ୟପାଳ

ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହ

ଭୁବନେଶ୍ୱର, ୨୧/୦୫/୨୦୨୬: ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ। ପ୍ରାଚୀନ ଭାରତୀୟ ଆଦର୍ଶ “ସେବା ପରମୋ ଧର୍ମ” ଅନୁଯାୟୀ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ହିଁ ଜୀବନ ସାର୍ଥକ ହୋଇଥାଏ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ପ୍ରକାଶ କରିଛନ୍ତି। ଗୁରୁବାର ଦିନ ଲୋକସେବା ଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଯୁବପିଢ଼ିଙ୍କୁ ଏଭଳି ଦିଗଦର୍ଶନ ଦେଇଛନ୍ତି।

ସଂଗଠନର ମୁଖ୍ୟ ପୃଷ୍ଠପୋଷକ (ଚିଫ୍ ପାଟ୍ରନ) ତଥା ରାଜ୍ୟର ପ୍ରଥମ ଗାଇଡ୍ ଭାବରେ ରାଜ୍ୟପାଳ କହିଥିଲେ ଯେ, ଏହି ରାଜ୍ୟ ପୁରସ୍କାର କେବଳ ଏକ ମାନ୍ୟତା ନୁହେଁ, ବରଂ ସମାଜ ଓ ଦେଶ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ଦେଶପ୍ରେମର ପ୍ରତୀକ। ସ୍କାଉଟ୍ସ ଓ ଗାଇଡ୍ସ ଆନ୍ଦୋଳନ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ଜୀବନ କୌଶଳ, ପରିବେଶ ସଚେତନତା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି କରିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି। ରାଜ୍ୟରେ ଚାରି ଲକ୍ଷରୁ ଅଧିକ ଏବଂ ସମଗ୍ର ଦେଶରେ ୭.୫ ନିୟୁତରୁ ଅଧିକ ସଦସ୍ୟ ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ ଓ ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ଅବଦାନ ଦେଉଛନ୍ତି, ତାହାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଗରିମାମୟ ସମାରୋହରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପାଧ୍ୟକ୍ଷ କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମାରୋହ ଶେଷରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତି ସ୍କାଉଟ୍ସ ଏବଂ ଗାଇଡ୍ସମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସଫଳତା ପଛରେ ଥିବା ଶିକ୍ଷକ, ଅଭିଭାବକ ଏବଂ ୟୁନିଟ୍ ଲିଡରମାନଙ୍କ ମାର୍ଗଦର୍ଶନକୁ ମଧ୍ୟ ସଭାରେ ସମ୍ମାନିତ କରାଯାଇଥିଲା।

Related Articles

Back to top button