ଭୁବନେଶ୍ୱର ମହାରାଜା ଫିଲ୍ମ ହଲ୍ରେ ତୁମୁଳକାଣ୍ଡ: ଦର୍ଶକ ଓ କର୍ମଚାରୀଙ୍କୁ ଆକ୍ରମଣ, ୩ ଗିରଫ

ଭୁବନେଶ୍ୱର, ୨୧/୦୫/୨୦୨୬ : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ‘ମହାରାଜା ଫିଲ୍ମ ହଲ୍’ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଫିଲ୍ମ ଚାଲିଥିବା ସମୟରେ କିଛି ଯୁବକଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ହଲ୍ ଭିତରେ ଏବଂ ବାହାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ସହିଦନଗର ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ହଲ୍ରେ ଫିଲ୍ମ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସିନ୍ ଦେଖି କିଛି ଯୁବକ ଅତ୍ୟଧିକ ହୋହଲ୍ଲା କରିବା ସହ ଅଶାନ୍ତି ସୃଷ୍ଟି କରିଥିଲେ। ଏହାକୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦର୍ଶକମାନେ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଫିଲ୍ମ ହଲ୍ର କର୍ମଚାରୀମାନେ ହସ୍ତକ୍ଷେପ କରିବାରୁ, ଉତ୍ତ୍ୟକ୍ତ ଯୁବକମାନେ ଓଲଟା ସେମାନଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ।
ଏତିକିରେ ଯୁବକଙ୍କ ମନ ବୁଝିନଥିଲା, ସେମାନେ ହଲ୍ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବାହାରେ ପାର୍କିଂ କରାଯାଇଥିବା ଅନ୍ୟ ଦର୍ଶକମାନଙ୍କ ଗାଡ଼ିକୁ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସିନେମା ହଲ୍ ଚାରିପାଖରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ସହିଦନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହଲ୍ରେ ଲଗାଯାଇଥିବା ସିସିଟିଭି (CCTV) ଫୁଟେଜ୍କୁ ଯାଞ୍ଚ କରାଯିବା ପରେ, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ ଏହି ମାମଲାରେ ଜଣେ ନାବାଳକ ସମେତ ସମୁଦାୟ ୩ ଜଣଙ୍କୁ ବାନ୍ଧିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଘର ସ୍ଥାନୀୟ ଗଣପତି ନଗର ବସ୍ତି ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।



