ଓଡ଼ିଶାକୃଷି

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟର ରୋଡମ୍ୟାପ୍

ଭୁବନେଶ୍ୱର ,୧୯ ମେ ୨୦୨୬: ପୂର୍ବ ଭାରତର କୃଷି କ୍ଷେତ୍ରରେ ଆସିବ ବଡ଼ ବିପ୍ଳବ। ଚାଷୀ ଓ ମାଟିର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ। ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ହାଇପ୍ରୋଫାଇଲ୍ ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ – ୨୦୨୬’। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନକୁ ସଫଳ କରିବାକୁ ଏବଂ ଓଡ଼ିଶା ସମେତ ୫ଟି ରାଜ୍ୟର କୃଷି ବିକାଶ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହି ମେଗା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଚାଷୀଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି।

 ନକଲି ସାର ବିକ୍ରି କଲେ ଜେଲ୍— ଶିବରାଜ ସିଂ ଚୌହାନ
ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର କୃଷି ବିକାଶ ଓ ଚଳିତ ବର୍ଷର ରେକର୍ଡ ଧାନ କ୍ରୟକୁ ଭୂୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଚାଷୀଙ୍କୁ ଧରାପୃଷ୍ଠର ଦ୍ୱିତୀୟ ଭଗବାନ ବୋଲି ଅଭିହିତ କରି ସେ ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନକଲି ସାର ଓ କୀଟନାଶକ କାରବାର କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ ଏବଂ ଏଥିପାଇଁ ଖୁବଶୀଘ୍ର ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ (New Pesticide Act) ଅଣାଯିବ। ଏହାସହ ମାଟିର ଉର୍ବରତା ବଞ୍ଚାଇବାକୁ ନିଜ ଜମିର ଅତିକମରେ ୨୦ ପ୍ରତିଶତ ଭାଗରେ ପ୍ରାକୃତିକ ଚାଷ ବା ‘ନେଚୁରାଲ୍ ଫାର୍ମିଂ’ କରିବାକୁ ସେ ସମସ୍ତ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି।

 ଓଡ଼ିଶା ଚାଷୀଙ୍କୁ ମୋହନ ସରକାରଙ୍କ ବଡ଼ ସମ୍ବଳ
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକର ସଫଳତା ବାବଦରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସମୃଦ୍ଧ କୃଷକ ଯୋଜନା’ ମାଧ୍ୟମରେ ୧୯ ଲକ୍ଷ ଚାଷୀଙ୍କୁ ୩୧୦୦ ଟଙ୍କା ଦରରେ ଧାନ କିଣାର ବଡ଼ ସମ୍ବଳ ମିଳିଛି। ଏହାସହ ‘ସିଏମ କିଷାନ’ ଏବଂ କେନ୍ଦ୍ରର ‘ପିଏମ କିଷାନ’ ମିଶି ଚାଷୀଙ୍କ ହାତରେ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ରାଶି ପହଞ୍ଚାଉଛି। କେବଳ ସେତିକି ନୁହେଁ, ଚାଷୀଙ୍କ ପିଲାଙ୍କ ପାଇଁ ‘କୃଷି ବିଦ୍ୟାନିଧି ଯୋଜନା’ ଏବଂ ଫସଲ ବୀମାର ସମ୍ପୂର୍ଣ୍ଣ ପ୍ରିମିୟମ ନିଜେ ରାଜ୍ୟ ସରକାର ବହନ କରୁଛନ୍ତି। ରାସାୟନିକ ସାରର ବ୍ୟବହାର କମାଇବା ସହ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇଁ ଓଡ଼ିଶାର ଜୈବିକ ଚାଉଳ ବ୍ୟବହାର ହେଉଥିବା ସେ ଗର୍ବର ସହ ପ୍ରକାଶ କରିଛନ୍ତି।

କୃଷି କ୍ଷେତ୍ରକୁ ଆଧୁନିକ ଏବଂ ବ୍ୟବସାୟିକ କରିବା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି:

  • Forgotten Foods: ବିଲୁପ୍ତ ହୋଇଯାଉଥିବା ପାରମ୍ପରିକ ଖାଦ୍ୟ ଶସ୍ୟର ପୁନରୁଦ୍ଧାର ପାଇଁ ପ୍ରତି ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯିବ।
  • ଶୀତଳ ଭଣ୍ଡାର ଓ ସବସିଡି: ରାଜ୍ୟର ସମସ୍ତ ୫୮ଟି ସବ୍-ଡିଭିଜନରେ କୋଲ୍ଡ ଷ୍ଟୋରେଜ୍ ସ୍ଥାପନ ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଛି।
  • କଫି ଚାଷ ଓ ବ୍ରାଣ୍ଡିଂ: କୋରାପୁଟ ଏବଂ କଳାହାଣ୍ଡି ଭଳି ୬ଟି ଜିଲ୍ଲାରେ ୧ ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି। ବିଶ୍ୱ ବଜାରରେ ପ୍ରସିଦ୍ଧ କୋରାପୁଟ କଫିର ବ୍ରାଣ୍ଡିଂକୁ ଆହୁରି ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ମେଗା କୃଷି ସମ୍ମିଳନୀରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗର ମନ୍ତ୍ରୀ ଏବଂ କେନ୍ଦ୍ରୀୟ କୃଷି ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବ ଭାରତର ୫ଟି ରାଜ୍ୟ ପରସ୍ପରର ଶ୍ରେଷ୍ଠ ପ୍ରଣାଳୀରୁ ଶିଖି ଏହି ଅଞ୍ଚଳକୁ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Related Articles

Back to top button