ଓଡ଼ିଶାରାଜନୀତି

ନିରାଡମ୍ବର ଭାବେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୪/୦୫/୨୦୨୬: ରାଜ୍ୟ ସରକାରଙ୍କ ଶାସନର ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି ପୂର୍ତ୍ତି ଉତ୍ସବକୁ ଅତି ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ପଶ୍ଚିମ-ଏସିଆର ସାଂପ୍ରତିକ ସଂକଟମୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ଉତ୍ସବ ବଦଳରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଆସନ୍ତା ଜୁନ୍ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରଙ୍କ ବିଭିନ୍ନ ବିଭାଗର ଉପଲବ୍ଧିକୁ ମୁଖ୍ୟତଃ ୭ଟି ପ୍ରମୁଖ ଥିମ୍‌ରେ ଉପସ୍ଥାପନ କରାଯିବ:

  • ଶକ୍ତି ଓଡ଼ିଶା
  • ସମୃଦ୍ଧ କୃଷି ଓଡ଼ିଶା
  • ସୁସ୍ଥ ଓଡ଼ିଶା
  • ନିର୍ମାଣ ଓଡ଼ିଶା
  • ଉତ୍କର୍ଷ ଓଡ଼ିଶା
  • ଜନଶକ୍ତି ଓଡ଼ିଶା
  • କୌଶଳ ଓଡ଼ିଶା

ସରକାରଙ୍କ ଦୁଇ ବର୍ଷର ଉପଲବ୍ଧିକୁ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରସାର କରାଯିବ। ଏଥିସହିତ ବିଭିନ୍ନ ବିଭାଗ ପକ୍ଷରୁ ସଫଳତା ସମ୍ପର୍କିତ ପୁସ୍ତିକା ଓ ଲିଫଲେଟ୍ ପ୍ରକାଶ କରାଯିବା ସହ ବିଭାଗୀୟ ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଜଣାଇବେ। ଏହି କାର୍ଯ୍ୟକ୍ରମରେ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଭବିଷ୍ୟତ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ଶାସନ ସଚିବମାନେ ଯୋଗ ଦେଇଥିଲେ।

Related Articles

Back to top button