
ଭୁବନେଶ୍ୱର,୦୭/୦୫/୨୦୨୬: ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ, ରାୟଗଡା ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀର ବହୁ ସରପଂଚ, ନାଏବ ସରପଂଚ, ପଂଚାୟତ ସମିତି ସଭ୍ୟ, ୱାର୍ଡସଭ୍ୟ, ବରିଷ୍ଠ ଓ ଯୁବନେତା ବିଜେଡି ଓ କଂଗ୍ରେସ ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି। ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି। ସଂକଳ୍ପରୁ ସିଦ୍ଧି କାରଣରୁ ସମସ୍ତେ ଆଜି ବିଜେପିରେ ଯୋଗ ଦେଉଛନ୍ତି। ଓଡ଼ିିଶାରେ ଅନେକ ସମ୍ଭାବନା ରହିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିରେ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମକୁ ସଂକଳ୍ପ ନେବାକୁ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।
ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ତାଳଦା ପଂଚାୟତର ସାମାଜିକ କର୍ମୀ ପ୍ରତାପଚନ୍ଦ୍ର ପରିଡା, ସରପଂଚ ଦୀପକ ପରିଡା, ପୂର୍ବତନ ସରପଂଚ ରମାରଞ୍ଜନ ମହାନ୍ତି, ପଂଚାୟତ ସମିତି ସଭ୍ୟ ଅମିୟ ରଞ୍ଜନ ସେଠୀ, ପୂର୍ବତନ ସରପଂଚ ପ୍ରଫୁଲ୍ଲ କୁମାର ସେନାପତି, ଯୁବ ବିଜେଡି ସଭାପତି ରଘୁନାଥ ନାୟକ, ନାଏବ ସରପଂଚ ପ୍ରଭିଷାଣୀ ନାୟକ, ୱାର୍ଡ ମେମ୍ବର ପ୍ରଭାତ କୁମାର ନାୟକ, ଦେବାଶିଷ ମହାନ୍ତି, ବାପିନା ମହାନ୍ତି, କୈଳାସ ବିଶ୍ୱାଳ, କାକଟପୁର ବ୍ଳକ ପାଟସୁନ୍ଦରପୁର ପଂଚାୟତ ସମିତି ସଭ୍ୟ ମନୋଜ କୁମାର ନାୟକ, ପୂର୍ବତନ ସରପଂଚ ପ୍ରଦୀପ୍ତ କୁମାର ଦଳେଇ, ପ୍ରହଲ୍ଲାଦ ସାହୁ, କାକଟପୁର ବ୍ଲକ ଅବଦାନ ପଂଚାୟତର ଅବସରପ୍ରାପ୍ତ ଓଡ଼ିିଶା ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ଲତାହରଣ ପଂଚାୟତ ପୂର୍ବତନ ବିଜେଡି ସଭାପତି ଗଙ୍ଗାଧର ନାୟକ, ନୟାହାଟ ଇଶାଣପୁର ସରପଂଚ ବିନୋଦିନୀ ପାଲ, ନାଏବ ସରପଂଚ ମିଲି ଜେନା, ବିଜେଡି ନେତା ବସନ୍ତ ପାଳ, ମଂଟୁ ଦଳେଇ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ୱାର୍ଡ ମେମ୍ବରମାନେ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି।
ସେହିପରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀ ବୋଲଗଡ ବ୍ଲକ ଅନ୍ତର୍ଗତ ଗେଡିଆ ପଲ୍ଲି ପଂଚାୟତର ସରପଂଚ କବିତା ମଞ୍ଜରୀ ତ୍ରିପାଠୀ, ନାଏବ ସରପଂଚ ଲକ୍ଷ୍ମୀଧର ସ୍ୱାଇଁ, ୱାର୍ଡ ମେମ୍ବର ବାସନ୍ତୀ ସାହୁ, ଧରଣିଧର ମହାପାତ୍ର, ସୁବାସିନି ସେଠୀ; କଳାଙ୍ଗ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ କିଶୋର ଚନ୍ଦ୍ର ହୋତା, ସମିତି ସଭ୍ୟ ପ୍ରହଲ୍ଲାଦ ସୁବୁଦ୍ଧି, ବୁଧି ବାମନ ପୃଷ୍ଟି, ସୁଶାନ୍ତ ରାଉତ, ବିଜୟ ସ୍ୱାଇଁ, ବାଦଲ ଷଡଙ୍ଗୀ; ବୋଲଗଡ ପଂଚାୟତର ପୂର୍ବତନ ସରପଂଚ ପ୍ରହଲ୍ଲାଦ ଦଳେଇ ପ୍ରମୁଖ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସମ୍ପାଦକ ଆର୍. କାଶୀ ନାଇଡୁଙ୍କ ସମତେ ବହୁ ସମର୍ଥକ ଓ ପୂର୍ବତନ ସରପଂଚ ମିନାରାଓ ହିମିରିକା ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି। ଏହି ଅବସରରେ ସାଂସଦ ବିଭୁ ପ୍ରସାଦ ତରାଇ, ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ, ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ସମ୍ପାଦକ ସରୋଜ କର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକ, ବରିଷ୍ଠ ନେତା କାଳିରାମ ମାଝୀ, ରାୟଗଡା ଜିଲ୍ଲା ସଭାପତି ଗୋପି ଆନନ୍ଦ, ପୁରୀ ଜିଲ୍ଲା ସଭାପତି ଦେବେନ୍ଦ୍ର ତରେଇ ଓ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ।




