ଜାତୀୟରାଜନୀତି

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ନିଶାନ୍ତ କୁମାର ଓ ଅନ୍ୟ ନେତୃବୃନ୍ଦ

ନୂଆଦିଲ୍ଲୀ: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୁରୁବାର ବିହାର କ୍ୟାବିନେଟର ସମ୍ପ୍ରସାରଣ କରାଯାଇଥିବା ବେଳେ ଏଥିରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି), ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନେତାମାନଙ୍କୁ ସ୍ଥାନ ମିଳିଛି। ରାଜ୍ୟପାଳଙ୍କ ଅନୁପସ୍ଥିତିରେ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଆତା ହସନୈନ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହି ନୂତନ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ନୀତିଶ କୁମାର ରାଜ୍ୟସଭାକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ନିଷ୍ପତ୍ତି ପରେ ନିଶାନ୍ତ କୁମାରଙ୍କୁ ଦଳରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

Related Articles

Back to top button