
ଭୁବନେଶ୍ୱର,ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ଚନ୍ଦନପୁର ଗାଁରେ, କାଳବୈଶାଖୀର ତାଣ୍ଡବ ରଚିଛି। ପ୍ରଚଣ୍ଡ ପବନରେ ବିଶାଳ ନଡିଆ ଗଛ ଟଳି ପଡ଼ିବାରୁ ଗାଁର ଅଞ୍ଜନ ବେହେରା ଓ ଭାରତୀ ମୂଦୁଲିଙ୍କ ଘର ଭାଙ୍ଗିଯାଇଛି। କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି ବିଜୁଳି ଖୁଣ୍ଟକୁ ଉପାଡ଼ି ଫୋପାଡ଼ିଲା।ଖମାରରେ ଚାଲିଥିବା ଚନ୍ଦନ ଯାତ୍ରା ପଡିଆରେ ଥିବା ମୀନାବଜାର ଓ ସମସ୍ତ ଷ୍ଟଲ୍ ଭାଙ୍ଗିଛି। ଅପେରା ମଞ୍ଚ ଓ ଟେଣ୍ଟ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବିଭିନ୍ନ ଗାଁ ମାନଙ୍କରେ ଘର ଛପର ଉଡିଯିବା ସହ, ଗୃହ ପାଳିତ ପଶୁ ପ୍ରାଣ ହରାଇଥିବା ସୂଚନା ମିଳିଛି।ଗଛ ପଡିବା ଯୋଗୁଁ ଘର ସମ୍ମୁଖରେ ଥିବା ପାଚେରୀ ବି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯାଇଛି। ସୌଭାଗ୍ୟକୁ, କାହାର କେହି ମୃତାହତ ହୋଇନାହାଁନ୍ତି। ସେପଟେ ପାଲଲହଡ଼ା ଅଞ୍ଚଳରେ ବି ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ। ଗତକାଲି ମଧ୍ୟାହ୍ନରେ ଝଡ଼ ତୋଫାନରେ, ରାସ୍ତା ସାରା ବଡ଼ ବଡ଼ ଗଛ ସବୁ ଉପୁଡ଼ିପଡ଼ିଛି। ବିଦ୍ୟୁତ୍ ଖୁଣ୍ଟି ଓ ତାର ମଧ୍ୟ ଛିଣ୍ଡି ଯାଇଛି।




