ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

ଭୁବନେଶ୍ୱର, ୦୧/୦୫/୨୦୨୬: ସାନ୍ତାଳୀ ଭାଷା ଓ ସଂସ୍କୃତିର ମହାନ ଜନନାୟକ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜୟନ୍ତୀ ଅବସରରେ ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୧୪ ଅଧୀନ ନୀଳାଦ୍ରି ବିହାରଠାରେ ଥିବା ପଣ୍ଡିତ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଦଳର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅମୂଲ୍ୟ ଅବଦାନ ଉପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ୧୯୨୫ ମସିହାରେ ‘ଓଲ୍ ଚିକି’ ଲିପିର ଆବିଷ୍କାର କରି ପଣ୍ଡିତ ମୁର୍ମୁ ସାନ୍ତାଳୀ ସମୁଦାୟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତାଙ୍କର ଏହି କାର୍ଯ୍ୟ ସାନ୍ତାଳୀ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପିଢ଼ି ପରେ ପିଢ଼ି ସୁରକ୍ଷିତ ରଖିବାରେ ସହାୟକ ହୋଇଛି।
ପଣ୍ଡିତ ମୁର୍ମୁଙ୍କ ସାହିତ୍ୟ କୃତି ଏବଂ ସାମାଜିକ ସଂସ୍କାର ଉଦ୍ୟମ ଶିକ୍ଷା, ଆତ୍ମସମ୍ମାନ ଓ ଏକତାକୁ ପ୍ରୋତ୍ସାହିତ କରିଥିବା ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସଭାରେ ବିଧାୟକ ଗୌତମବୁଦ୍ଧ ଦାସ, ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଶେଷରେ ମିହିର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।




