Uncategorized
ମହାନଦୀରେ ମାଛ ଧରିବା ବେଳେ ପାଣିରେ ବୁଡ଼ି ଜଣେ ମୃତ


ଭୁବନେଶ୍ବର: ମହାନଦୀରେ ମାଛ ଧରୁଥିବା ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଜଗତସିଂହପୁର ଜିଲ୍ଲା ପାରାଦୀପ ଚଉମୁହାଣି ନିକଟସ୍ଥ ମହାନଦୀ ପଠାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ପାରାଦୀପ ଗଡ଼ ଗ୍ରାମର ମହେନ୍ଦ୍ର ସେଠି ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ମହେନ୍ଦ୍ର ଓ ତାଙ୍କର ଜଣେ ସହଯୋଗୀ ନଦୀ ମଧ୍ୟରେ ପଶି ଜାଲ ଟାଣୁଥିଲେ। ଏହି ସମୟରେ ହଠାତ୍ ମହେନ୍ଦ୍ର ଗଭୀର ପାଣିକୁ ଚାଲିଯାଇ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କୁଜଙ୍ଗରୁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନଦୀ ମଧ୍ୟରୁ ମହେନ୍ଦ୍ରଙ୍କ ମୃତଦେହ ଠାବ କରି ଉଦ୍ଧାର କରିଛନ୍ତି। ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



