କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ଆଜୀବନ କାରାଦଣ୍ଡ


ନୂଆଦିଲ୍ଲୀ: ବିଜେପି ନେତା ଯୋଗେଶଗୌଡା ଗୌଡରଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ଶୁକ୍ରବାର ବେଙ୍ଗାଲୁରୁର ଏକ ସ୍ଵତନ୍ତ୍ର କୋର୍ଟ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି କଠୋର ଦଣ୍ଡାଦେଶ ପରେ କୁଲକର୍ଣ୍ଣିଙ୍କ ବିଧାୟକ ପଦ ରଦ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କେବଳ କୁଲକର୍ଣ୍ଣି ନୁହଁନ୍ତି, ବରଂ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ୧୫ ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କ ବିଚାର ପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର କୋର୍ଟର ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଦୁଇ ଦିନ ପୂର୍ବରୁ କୋର୍ଟ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୧୬ ଜୁନ୍ ୧୫ ତାରିଖରେ ଧାରୱାଡ ଜିଲ୍ଲା ପଞ୍ଚାୟତ ସଦସ୍ୟ ଯୋଗେଶଗୌଡାଙ୍କୁ ସପ୍ତପୁର ଅଞ୍ଚଳରେ ଥିବା ଏକ ଜିମ୍ ଭିତରେ ଭଡାଟିଆ ଗୁଣ୍ଡାଙ୍କ ସାହାଯ୍ୟରେ ହତ୍ୟା କରାଯାଇଥିଲା। ସେହି ସମୟରେ ବିନୟ କୁଲକର୍ଣ୍ଣି କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିଲେ। ପୀଡ଼ିତଙ୍କ ପରିବାର ଓ ବିରୋଧୀଙ୍କ ଦାବି ପରେ ୨୦୧୯ରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ।




