ଓଡ଼ିଶାଶିକ୍ଷା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ମେଳା

ଭୁବନେଶ୍ୱର, ୧୩/୦୪/୨୦୨୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୃହବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଜି ‘ଓଡ଼ିଆ ପକ୍ଷ’ ଅବସରରେ ଏକ ପାରମ୍ପରିକ ଖାଦ୍ୟ ମେଳା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି. ରାଉତ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଉଦୀୟମାନ ଛାତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଆମ ଖାଦ୍ୟ ଏବଂ ଆମ ରୁଚିକୁ ପ୍ରାଧାନ୍ୟ ଦେଇ ଆୟୋଜିତ ଏହି ମେଳାରେ ଛାତ୍ରୀମାନେ ନିଜର ରନ୍ଧନ କଳା ଓ ସୃଜନଶୀଳତାର ପରିଚୟ ଦେଇଥିଲେ।

ଗୃହବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଜ୍ୟୋତିର୍ମୟୀ ଉଦ୍‌ଗାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ପିଠାପଣା ଯଥା- ଚନ୍ଦ୍ରକାନ୍ତି, ଛୁଞ୍ଚିପତ୍ର ପିଠା, କ୍ଷୀର ପୋଡ଼ପିଠା, ଆରିସା, କାକରା, ଏଣ୍ଡୁରି ଓ ଗଇଁଠା ଆଦି ପ୍ରସ୍ତୁତ କରିଥିଲେ। ଏଥିସହିତ ମାଣ୍ଡିଆ ପାଣିପୁରି, ଦହିବରା ଆଳୁଦମ୍, ସରପୁଳି ଏବଂ ବିଭିନ୍ନ ପ୍ରକାରର ସାଲାଡ୍ ମଧ୍ୟ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା। କୁଳପତି ପ୍ରଫେସର ରାଉତ ନିଜେ କ୍ଷୀର ପୋଡ଼ପିଠା କାଟି ଛାତ୍ରୀମାନଙ୍କୁ ଖୋଇବା ସହ ସେମାନଙ୍କର ଉଦ୍ୟମିତା ମନୋଭାବର ଶୁଭକାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ପଦାଧିକାରୀ ଯଥା- ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ, ରେଜିଷ୍ଟ୍ରାର ମନସ୍ୱିନୀ ସାହୁ, ବିତ୍ତ ନିୟନ୍ତ୍ରକ ମିତା ରାଣୀ ବିଶ୍ୱାଳ ଏବଂ ବିଭିନ୍ନ ବିଭାଗର ଅଧ୍ୟକ୍ଷା ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଗୃହବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସରିତା ମିଶ୍ର, ହେଲେନା ଯତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଖାଦ୍ୟ ଉତ୍ପାଦନ ଏବଂ ଉଦ୍ୟମିତା କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ କୁଳପତି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Related Articles

Back to top button