
ଭୁବନେଶ୍ୱର, ୦୬/୦୪/୨୦୨୬: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୪ଟିରେ କୁଳପତି ପଦବୀ ଖାଲି ପଡ଼ିଥିବା ନେଇ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଗମ୍ଭୀର ଅଭିଯୋଗ ଅଣାଯାଇଛି। ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, କୁଳପତି ନିଯୁକ୍ତି ପାଇଁ ୧୦ ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ ହେଉଥିବା ବେଳେ ଏବେକାର ସରକାର ‘ଗେରୁଆ ଜ୍ୟାକେଟ’ ଏବଂ RSS କିମ୍ବା ABVP ପୃଷ୍ଠଭୂମିର ପ୍ରାର୍ଥୀ ଖୋଜିବା ଚକ୍କରରେ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛନ୍ତି। କୁଳପତି ନଥିବାରୁ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ବାଧାପ୍ରାପ୍ତ ହୋଇଛି ଏବଂ ଏହି ବିଳମ୍ବ ପାଇଁ ହାଇକୋର୍ଟ ମଧ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏପ୍ରିଲ ଶେଷ ସୁଦ୍ଧା ନିଯୁକ୍ତି ନହେଲେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ଉଚ୍ଚଶିକ୍ଷାକୁ ‘ଉଇ’ ଲାଗିଛି। ସରକାରଙ୍କ ଗୈରିକକରଣ ରାଜନୀତି ଯୋଗୁଁ ଆଜି ରାଜ୍ୟପାଳ ମଧ୍ୟ କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପାରିତ ହେବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ମଧ୍ୟ କୁଳପତି ନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅପରିପକ୍ୱତା ଏବଂ ସରକାରଙ୍କ ନିଷ୍ପତ୍ତିହୀନତା ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଛି। ଯଦି ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଖାଲି ପଦବୀ ପୂରଣ ନହୁଏ, ତେବେ ‘ଶିକ୍ଷା ବ୍ୟବସ୍ଥା ବଞ୍ଚାଅ’ ଅଭିଯାନ ମାଧ୍ୟମରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଇପସିତା ସାହୁ ସ୍ପଷ୍ଟ କରିଛନ୍ତି।




