
ଭୁବନେଶ୍ୱର, ୦୪/୦୪/୨୦୨୬: ରାଜ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ୍ୟପୁସ୍ତକ ଏବଂ ପୋଷାକ ବଣ୍ଟନରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ପ୍ରଦେଶ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରବକ୍ତା କୃଷ୍ଣଚନ୍ଦ୍ର ପତି ଏବଂ ଡଃ ଦେବାଶିଷ ଭୂୟାଁ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଶିକ୍ଷାବର୍ଷ ଆରମ୍ଭରୁ ହିଁ ଛାତ୍ରଛାତ୍ରୀମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ପଟେ ସରକାର ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ ଉତ୍ସବ’ ଭଳି କାର୍ଯ୍ୟକ୍ରମରେ ମାତିଥିବା ବେଳେ ବାସ୍ତବ ପକ୍ଷେ ସ୍କୁଲ ଗୁଡ଼ିକରେ ବହି ପହଞ୍ଚି ନଥିବାରୁ ପାଠପଢ଼ା ଆରମ୍ଭ ହୋଇପାରୁ ନାହିଁ। ଏପରିକି ନବମ ଓ ଦଶମ ଶ୍ରେଣୀର ପୁସ୍ତକ ଖୋଲା ବଜାରରେ ମଧ୍ୟ ଉପଲବ୍ଧ ହେଉ ନଥିବା ଅଭିଯୋଗ ହୋଇଛି।
ଶ୍ରୀ ପତି ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଶ୍ରେଣୀ ଗୃହ, ଶିକ୍ଷକ, ବିଦ୍ୟୁତ ସଂଯୋଗ ଏବଂ ଶୌଚାଳୟର ଅଭାବ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ଗତ ଶିକ୍ଷାବର୍ଷରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅନୁପସ୍ଥିତ ରହିବା ଏବଂ ସ୍କୁଲ ଡ୍ରପଆଉଟ୍ ହାର ବୃଦ୍ଧି ପାଇବା ଏକ ଚିନ୍ତାର ବିଷୟ। ସରକାରଙ୍କ ମାଗଣା ପୋଷାକ ଓ ପୁସ୍ତକ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବହିପତ୍ରର ଚଢ଼ା ଦର ଖାଉଟିଙ୍କୁ ଶୋଷଣ କରୁଛି। ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ‘ମଧୁଚନ୍ଦ୍ରିକା’ ଯୋଗୁଁ ସାଧାରଣ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଡଃ ଦେବାଶିଷ ଭୂୟାଁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ନେତା ହୋଇଥିବା ବେଳେ ଖଡ଼ିଛୁଆଁ ଉତ୍ସବ କେବଳ ଭୁବନେଶ୍ୱରରେ ନକରି ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ କରିଥିଲେ ଭଲ ହୋଇଥାନ୍ତା। ଉପାନ୍ତ ଜିଲ୍ଲା ଗୁଡ଼ିକରେ ଏପର୍ଯ୍ୟନ୍ତ ବହି ପହଞ୍ଚି ନଥିବା ବେଳେ ବିକଶିତ ଓଡ଼ିଶାର ନାରା କେବଳ ପ୍ରହସନ ପାଲଟିଛି। କେବଳ ରାଜ୍ୟ ବୋର୍ଡ ନୁହେଁ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା NCERT ପାଠ୍ୟପୁସ୍ତକ ମଧ୍ୟ ଆଦର୍ଶ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ଉଚ୍ଚଶିକ୍ଷା ପରିଷଦର ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି କ୍ଷେତ୍ରରେ ସରକାରୀ ଶିଥିଳତାକୁ ନେଇ କଂଗ୍ରେସ ଗଭୀର ଚିନ୍ତା ପ୍ରକଟ କରିଛି। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ବହି ଓ ପୋଷାକ ଯୋଗାଇ ଦେବା ସହ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି।




