ଅନ୍ତର୍ଜାତୀୟ

ନାଟୋକୁ ‘କାଗଜ ବାଘ’ କହିଲେ ଟ୍ରମ୍ପ

ୱାଶିଂଟନ, ୦୩/୦୪/୨୦୨୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ସମୟରେ ବିଶ୍ୱ ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ବଡ଼ ସାମରିକ ସଂଗଠନ ‘ନାଟୋ’ କୁ ‘କାଗଜ ବାଘ’ କହି ସମାଲୋଚନା କରିବା ସହ ଏହି ସଂଗଠନରୁ ଓହରିଯିବାକୁ ଚେତାବନୀ ଦେଇଛନ୍ତି। ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ଟ୍ରମ୍ପ ନାଟୋ ସଦସ୍ୟ ଦେଶମାନଙ୍କଠାରୁ ସାମରିକ ସହାୟତା ଏବଂ ଅସ୍ତ୍ରଶସ୍ତ୍ର ମାଗିଥିଲେ, କିନ୍ତୁ ନାଟୋ ପକ୍ଷରୁ ଏହାକୁ ସଫା ସଫା ମନା କରିଦିଆଯାଇଛି। ନାଟୋର ଏହି ନକାରାତ୍ମକ ଆଭିମୁଖ୍ୟରେ କ୍ଷୁବ୍ଧ ହୋଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ୟୁକ୍ରେନ ଯୁଦ୍ଧ ସମୟରେ ଇଉରୋପକୁ ସାହାଯ୍ୟ ଦରକାର ଥିଲା, ସେତେବେଳେ ଆମେରିକା ସବୁ ପ୍ରକାର ସହଯୋଗ କରିଥିଲା। କିନ୍ତୁ ଏବେ ଆମେରିକା ପାଇଁ ସହଯୋଗର ସମୟ ଆସିବାରୁ ବ୍ରିଟେନ, ଇଟାଲୀ ଏବଂ ଜର୍ମାନୀ ପରି ଦେଶମାନେ ଏକପାଖିଆ ହୋଇ ନିଜକୁ ଦୂରେଇ ରଖିଛନ୍ତି।

ଅନ୍ୟପଟେ ନିଜ ଦେଶ ଆମେରିକାରେ ମଧ୍ୟ ଟ୍ରମ୍ପଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଇରାନ ସହ ଯୁଦ୍ଧ ଜାରି ରଖିବା ଜିଦ୍ ଯୋଗୁଁ ଆମେରିକାବାସୀ ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରାୟ ୮୦ ଲକ୍ଷରୁ ଅଧିକ ଜନତା ଟ୍ରମ୍ପଙ୍କ ବିରୋଧରେ ସ୍ଲୋଗାନବାଜି କରିବା ସହ “ଆମକୁ ଯୁଦ୍ଧ ନୁହେଁ, ଶାନ୍ତି ଦରକାର” ବୋଲି ଦାବି କରୁଛନ୍ତି। ଅନେକ ସ୍ଥାନରେ ଟ୍ରମ୍ପଙ୍କ କୁଶପୁତଳିକା ଦାହ କରାଯିବା ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିଜ ଦେଶରେ ହିଁ ଟ୍ରମ୍ପ ଏବେ ଭିଲେନ୍ ପାଲଟି ଯାଇଥିବା ବେଳେ ବାହାରେ ନାଟୋର ବିଶ୍ୱାସଘାତକତା ତାଙ୍କୁ ସାଂଘାତିକ ଭାବେ ଘେରି ରଖିଛି। ବିଶେଷ କରି ବ୍ରିଟେନର ନୌସେନାକୁ ଶକ୍ତିହୀନ ଏବଂ ପୁରୁଣା ବୋଲି କହି ଟ୍ରମ୍ପ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି।

ଏହି ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଆମେରିକା ଯଦି ନାଟୋ ସଂଗଠନରୁ ଓହରିଯାଏ, ତେବେ ବିଶ୍ୱର ସାମରିକ ସନ୍ତୁଳନ ସମ୍ପୂର୍ଣ୍ଣ ରୂପେ ବିଗିଡ଼ିଯିବାର ଆଶଙ୍କା ରହିଛି। ଟ୍ରମ୍ପଙ୍କ ଏହି ଚେତାବନୀ ଇଉରୋପୀୟ ଦେଶମାନଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ପଟେ ଇରାନକୁ ଧ୍ୱଂସ କରିବାର ସ୍ୱପ୍ନ ଏବଂ ଅନ୍ୟପଟେ ନିଜ ଦେଶର ଜନତାଙ୍କ ବିଦ୍ରୋହ ଭିତରେ ଟ୍ରମ୍ପଙ୍କ ରାଜନୈତିକ ଭବିଷ୍ୟତ ତଥା ଆମେରିକାର ବିଶ୍ୱ ଅସ୍ତିତ୍ୱକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏହି ଘଟଣା ବିଶ୍ୱ ରାଜନୀତିରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Articles

Back to top button