ସହରାଞ୍ଚଳରେ ପିଏନଜି କନେକ୍ସନ ବାଧ୍ୟତାମୂଳକ :କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୦୨/୦୪/୨୦୨୬: ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ଇନ୍ଧନ ଯୋଗାଣ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ସହରାଞ୍ଚଳରେ ପାଇପ୍ ନେଚୁରାଲ ଗ୍ୟାସ୍ ବା ପିଏନଜି (PNG) ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ଆଜି ଲୋକ ସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଏବଂ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଯେଉଁମାନେ ପିଏନଜି କନେକ୍ସନ ନେଇଛନ୍ତି ସେମାନେ ଆଉ ଏଲପିଜି (LPG) ସିଲିଣ୍ଡର ବ୍ୟବହାର କରିପାରିବେ ନାହିଁ। ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ଼ ବଡ଼ ସହରରେ ପିଏନଜି ସଂଯୋଗ ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନୀଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଭଡ଼ାଟିଆ ଭାବେ ରହୁଥିବା ଲୋକମାନେ ମଧ୍ୟ ସହଜରେ ଏହି ପିଏନଜି ସଂଯୋଗ ନେଇପାରିବେ।
ଅନ୍ୟପଟେ ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ପାଇଁ ଏଲପିଜି ଗ୍ୟାସ୍ ସେବା ପୂର୍ବଭଳି ଜାରି ରହିବ। ତେବେ ସ୍ୱଚ୍ଛତା ବଜାୟ ରଖିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଏଲପିଜି ଗ୍ରାହକମାନଙ୍କର ଇ-କେୱାଇସି (e-KYC) କରାଯିବା ବାଧ୍ୟତାମୂଳକ କରାଯାଇଛି। ପିଏନଜି ବ୍ୟବହାର ଦ୍ୱାରା ଗ୍ରାହକମାନେ ସିଲିଣ୍ଡର ବୁକିଂ ଏବଂ ଡେଲିଭରି ଭଳି ସମସ୍ୟାରୁ ମୁକ୍ତି ପାଇବା ସହ ଏହା ଅଧିକ ସୁରକ୍ଷିତ ଏବଂ ଶସ୍ତା ହେବ ବୋଲି ବୈଠକରେ ଆଲୋଚନା ହୋଇଛି। ଯୋଗାଣ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏହି ପ୍ରକଳ୍ପର ତଦାରଖ କରିବେ ଯେମିତି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସହରର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଗ୍ୟାସ୍ ପହଞ୍ଚିପାରିବ।
ସୂଚନାଯୋଗ୍ୟ ଯେ, ସହରାଞ୍ଚଳରେ ଜନସଂଖ୍ୟା ଏବଂ ଇନ୍ଧନର ଚାହିଦା ବୃଦ୍ଧି ପାଉଥିବାରୁ ପିଏନଜି ବ୍ୟବସ୍ଥାକୁ ଏକ ସ୍ଥାୟୀ ସମାଧାନ ଭାବେ ଗ୍ରହଣ କରାଯାଉଛି। ଇ-କେୱାଇସି ପ୍ରକ୍ରିୟା ଦ୍ୱାରା ଗ୍ୟାସ୍ ସବସିଡିରେ ହେଉଥିବା ହେରଫେରକୁ ରୋକାଯାଇପାରିବ। ବୈଠକରେ ତୈଳ କମ୍ପାନୀର ପ୍ରତିନିଧିମାନେ ଭିତ୍ତିଭୂମି ବିକାଶ ଏବଂ ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଏହି ବ୍ୟବସ୍ଥା ଫଳରେ ସାଧାରଣ ଖାଉଟିମାନେ ଅଧିକ ଉପକୃତ ହେବେ ଏବଂ ପ୍ରଦୂଷଣ ମୁକ୍ତ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।




