ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବିଦେଶ ଯାତ୍ରା ପାଇଁ ଆଉ କୋଲକାତା କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବନି

ଭୁବନେଶ୍ୱର, ୦୧/୦୪/୨୦୨୬: ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଓଡ଼ିଶାର ଗ୍ଲୋବାଲ କନେକ୍ଟିଭିଟିକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତୀୟ ସମ୍ପର୍କକୁ ଆହୁରି ମଜବୁତ କରିବ। ପୂର୍ବରୁ ରାଜ୍ୟର ଯୁବ ପ୍ରଫେସନାଲ ଏବଂ ପର୍ଯ୍ୟଟକମାନଙ୍କୁ ଭିସା ଆବେଦନ ପାଇଁ କୋଲକାତା କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ୁଥିଲା, କିନ୍ତୁ ଏବେ ସେମାନେ ଭୁବନେଶ୍ୱରରେ ହିଁ ସହଜରେ ଏହି ସୁବିଧା ପାଇପାରିବେ। ରାଜ୍ୟ ସରକାର ଏହି କେନ୍ଦ୍ର ପାଇଁ ବରମୁଣ୍ଡା ବସ୍ ଟର୍ମିନାଲ ପରିସରରେ ପ୍ରାୟ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ମାଧ୍ୟମରେ ୟୁନାଇଟେଡ୍ କିଙ୍ଗଡମ୍ , ଆୟରଲ୍ୟାଣ୍ଡ , ଅଷ୍ଟ୍ରିଆ, ଏସ୍ତୋନିଆ , ଇଟାଲୀ , ମାଲ୍ଟା , ସ୍ୱିଜରଲ୍ୟାଣ୍ଡ, ଜାପାନ , ମରୋକ୍କୋ ଏବଂ ଇଜିପ୍ଟ ସମେତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ଉପଲବ୍ଧ ହେବ। ଆଗାମୀ ଦିନରେ ଅଧିକ ଦେଶକୁ ଏହି ସେବାରେ ଯୋଡ଼ାଯିବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ବଢ଼ୁଥିବା ଶିଳ୍ପାୟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ଏକ ଭିସା କେନ୍ଦ୍ରର ଆବଶ୍ୟକତା ଅନୁଭୂତ ହେଉଥିଲା, ଯାହା ଏବେ ଓଡ଼ିଶାର ଯୁବବର୍ଗଙ୍କ ବିଦେଶ ଯାତ୍ରାକୁ ଅଧିକ ସହଜ କରିବ।
ସୂଚନାଯୋଗ୍ୟ ଯେ, VFS ଗ୍ଲୋବାଲ ହେଉଛି ବିଶ୍ୱର ସର୍ବବୃହତ୍ ଭିସା ଏବଂ କନସୁଲାର ସେବା ପ୍ରଦାନକାରୀ ସଂସ୍ଥା, ଯାହା ୧୬୭ଟି ଦେଶରେ ୭୦ଟି ସରକାରଙ୍କୁ ସେବା ଯୋଗାଇ ଦେଉଛି। ଏହି ସଂସ୍ଥା ଭାରତର ୨୦ଟି ସହରରେ ୫୬୦ରୁ ଅଧିକ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟ କରୁଛି। ଆଜିର ଏହି ଉଦ୍ଘାଟନୀ ସମାରୋହରେ ଅଷ୍ଟ୍ରିଆ, ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡ ଦୂତାବାସର ଅଧିକାରୀଙ୍କ ସମେତ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା , ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ VFS ଗ୍ଲୋବାଲ ସାଉଥ ଏସିଆର ସିଓଓ ୟୁମି ତଲୱାର ପ୍ରମୁଖ ଉପସ୍ଥିତ ଥିଲେ।




