
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ହଠାତ୍ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ସଭାପତି । ଶନିବାର ଦିଲ୍ଲୀ ଅଭିମୁଖେ ମୋହନ ଓ ମନମୋହନଙ୍କ ଯାତ୍ରା ଅନେକ ରାଜନୈତିକ ସମ୍ଭାବନାକୁ ସୂଚନା ଦେଇଛି । ଏବେ ଏବେ ସରିଛି ରାଜ୍ୟସଭା ନିର୍ବାଚନ । ୪ଟି ଆସନରୁ ୩ ଟି ଆସନରେ ବାଜିମାତ୍ କରିଛନ୍ତି ମୋହନ-ମନମୋହନ ଯୋଡ଼ି । ତଥାପି ରାଜ୍ୟ ଶାସନ ଓ ଦଳୀୟ ସଙ୍ଗଠନ କିଛି ଠିକ୍ ଚାଲିନି ବୋଲି ଅନୁମେୟ । ଓଡିଶାରେ ବିଜେପି ଶାସନ ୨ ବର୍ଷ ପୂରଣ ହେବାକୁ ଯାଉଛି । କିନ୍ତୁ ଏବେ ବି ଅଧୁରା ରହିଛି ପ୍ରଶାସନିକ କଳ ଓ ସାଙ୍ଗଠନିକ ବଳ । ସେପଟେ ଶକ୍ତିଶାଳୀ ହେଉଛନ୍ତି ବିରୋଧୀ କ୍ୟାମ୍ପ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆକ୍ତାମାକ୍ତା କରିବାକୁ ପଛାଉ ନାହାନ୍ତି । ଏପରି ଘଡିସନ୍ଧି ସମୟରେ ଦିଲ୍ଲୀ ଗସ୍ତ ଅନେକ କିଛି ରଣନୀତି ଓ ସମ୍ଭାବନାକୁ ଇନ୍ଧନ ଯୋଗାଇଛି ।
ମୋହନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଏବେ ବି ୬ଟି ମନ୍ତ୍ରୀ ଆସନ ବଣ୍ଟା ହୋଇପାରିନି । ସମୟ ଯେତିକି ଗଡୁଛି ମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ଓ ଲବି ବଢି ବଢି ଚାଲିଛି । ସେହିପରି ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ପଡିଥିବା ବେଳେ ଦିନକୁ ଦିନ ଆଶାୟୀଙ୍କ ବର୍ଦ୍ଧିତ ସଂଖ୍ୟା ବି ଚିନ୍ତା ବଢାଉଛି । ଅନେକ ବରିଷ୍ଠ ନେତା ଏଥିପାଇଁ ଅନେଇ ବସିଥିଲେବି ମିଳୁନି ପଦବୀ । ତେଣୁ ଏ ସମସ୍ତ ବିଷୟରେ ଶୀର୍ଷ ନେତୃତ୍ୱଙ୍କ ସହିତ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେ ଠାରୁ ସଙ୍ଗଠନ, ନିଗମ. ବୋର୍ଡ ଲଡୁ ନବାଣ୍ଟିଲେ ଅସନ୍ତୋଷ ତୀବ୍ରତର ହୋଇପାରେ ।
କେବଳ ସେତିକି ନୁହେଁ ଏସସିବି ନିଆଁରେ ଜଳୁଛି ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେଡି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁଣ୍ଡ ଦାବିରେ ଅଡି ବସିଛନ୍ତି । ସେହିପରି ଚାଷୀ ଓ ଧାନ ସମସ୍ୟା ତୀବ୍ରତର ହୋଇଛି । ମଣ୍ଡିରୁ ନେଇ ବିଧାନସଭା କିଛି ଠିକ୍ ଚାଲିପାରୁନି । ସେପଟେ ମନ୍ତ୍ରୀଙ୍କ ବିରୋଧରେ ଜନତାଙ୍କ ଆକ୍ରୋଶ ବଡଦାଣ୍ଡରେ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ୨ ଶୀର୍ଷ ନେତୃତ୍ୱଙ୍କ ଦିଲ୍ଲୀ ଗସ୍ତ ଅନେକ ସମ୍ଭାବନାକୁ ଜନ୍ମ ଦେଉଛି । ଅପେକ୍ଷା ରହିଲା ଦିଲ୍ଲୀରୁ କେଉଁ ଲଡୁ ନେଇ ଫେରୁଛନ୍ତି ମୋହନ-ମନମୋହନ ।




