
ନୂଆଦିଲ୍ଲୀ: ବାଂଲାଦେଶର ରାଜବାରୀ ଜିଲ୍ଲା ଅନ୍ତର୍ଗତ ଦୌଲତଦିଆ ଫେରୀ ଘାଟଠାରେ ବିଧବାର ଏକ ଯାତ୍ରୀବାହୀ ବସ ପଦ୍ମା ନଦୀକୁ ଖସି ପଡିବାରୁ ୨୩ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ପ୍ରାୟ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଫେରୀ ଉପରକୁ ଚଢିବା ସମୟରେ ନିୟନ୍ତ୍ରଣ ହରାଇ ପଦ୍ମା ନଦୀ ଗର୍ଭକୁ ଖସି ପଡିଛି । ଇଦ ସାରି କୁଷ୍ଠିଆ ଜିଲ୍ଲାରୁ ଢାକାକୁ ନିଜ କର୍ମ କ୍ଷେତ୍ରକୁ ଫେରୁଥିବା ଏହି ଯାତ୍ରୀମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ଟି ଶବ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନଦୀର ଗଭୀର ଜଳ ଓ କାଦୁଅରେ ଦବି ଯାଇଥିବା ବସଟିକୁ ବାହାର କରିବା ପାଇଁ ଏକ ଶକ୍ତିଶାଳୀ କ୍ରେନ୍ ବ୍ୟବହାର କରାଯାଉଛି। କିଛି ଯାତ୍ରୀ ପହଁରି ନଦୀରୁ ବାହାରକୁ ଆସିବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଗୋଆଲାଣ୍ଡୋ ଉପଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଫରିଦପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।




