
ଭୁବନେଶ୍ୱର ,ମାର୍ଚ୍ଚ ୧୯ରୁ ମାଟ୍ରିକ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଖାତା ଦେଖୁଛନ୍ତି। ପ୍ରାୟ ୭ ଦିନ ଧରି ପ୍ରକ୍ରିୟା ଚାଲିଥିବାବେଳେ ଏପ୍ରିଲ ୨ ତାରିଖ ଖାତାଦେଖା ସରିବ; କିନ୍ତୁ ଏବେ ଏହା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
କାରଣ ରାଜ୍ୟରେ ଆଗାମୀ ଜନଗଣନା ନିମନ୍ତେ ଜିଲାସ୍ତରରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଖାତା ଦେଖାରେ ନିୟୋଜିତ ହୋଇଥିବା ବହୁ ବରିଷ୍ଠ ଶିକ୍ଷକଙ୍କ ନାମ ଜନଗଣନାକାରୀ ତାଲିକାରେ ରହିଛି। ତେଣୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଯାହା ଫଳରେ ସେମାନେ ଖାତା ଦେଖା ଅଧାରୁ ଛାଡ଼ି ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରତି ଜିଲାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ମାଟ୍ରିକ ପରୀକ୍ଷା ଖାତାଦେଖା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଇଛି।
ସମ୍ପୃକ୍ତ ଶିକ୍ଷକମାନେ ଖାତା ଦେଖା ଅଧାରୁ ଛାଡ଼ି ଜନଗଣନା ପ୍ରଶିକ୍ଷଣ ନେବାକୁ ଯାଇପାରନ୍ତି ବୋଲି ଜଣାପଡ଼ିଛି। ଯେଉଁଥିପାଇଁ ୩୦ ଜିଲାର ଜିଲାପାଳଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚିଠି କରାଯାଇଛି।




