ଓଡ଼ିଶା

ଓଡ଼ିଶାରେ ସହରୀ ଗ୍ୟାସ୍ ଭିତ୍ତିଭୂମି ପାଇଁ ବଡ଼ ଘୋଷଣା: ସରଳ ହେଲା ଅନୁମୋଦନ ପ୍ରକ୍ରିୟା, ତ୍ୱରାନ୍ୱିତ ହେବ ପିଏନଜି ସଂଯୋଗ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୬: ଓଡ଼ିଶାର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଏବଂ ପିଏନଜି ସଂଯୋଗ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସିଟି ଗ୍ୟାସ୍ ବିତରଣ (CGD) ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ ବାଧାମୁକ୍ତ କରିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ମୁତାବକ, ଏବେ ଭୂତଳ ପାଇପଲାଇନ ବିଛାଇବା ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ଗୁଡ଼ିକ କୌଣସି ପ୍ରକାର ଅନୁମତି ଶୁଳ୍କ ବା ପରମିଶନ ଫି ଆଦାୟ କରିବେ ନାହିଁ।

ଏହି ନୂତନ ବ୍ୟବସ୍ଥାରେ ପ୍ରଶାସନିକ ବିଳମ୍ବକୁ ରୋକିବା ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା କାର୍ଯ୍ୟ ପାଇଁ ଆଉ କୌଣସି ନୂତନ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ଏପରିକି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ରାସ୍ତା ଖୋଳିବା ଉପରେ ଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି। ତେବେ କାର୍ଯ୍ୟ ଶେଷ ହେବା ପରେ ସମ୍ପୃକ୍ତ ସିଜିଡି ସଂସ୍ଥାଗୁଡ଼ିକ ନିଜ ଖର୍ଚ୍ଚରେ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର କରିବାକୁ ବାଧ୍ୟ ରହିବେ। ଏହି ସମଗ୍ର ପ୍ରକ୍ରିୟାର ଅନୁଧ୍ୟାନ ଏବଂ ସମନ୍ୱୟ ରକ୍ଷା ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ‘ନୋଡାଲ ଅଧିକାରୀ’ ଭାବେ ନିଯୁକ୍ତ କରାଯାଇଛି।

ରାଜ୍ୟ ସରକାରଙ୍କ ଏହି ସଂସ୍କାରମୂଳକ ପଦକ୍ଷେପ ଆଗାମୀ ଜୁନ୍ ୩୦, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ତ୍ତ, ଜଳସମ୍ପଦ, ଶକ୍ତି ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକୁ ଏହି ପ୍ରକଳ୍ପରେ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଓଡ଼ିଶାରେ ଗ୍ୟାସ୍-ଭିତ୍ତିକ ଅର୍ଥନୀତି ସୁଦୃଢ଼ ହେବା ସହ ସାଧାରଣ ଲୋକଙ୍କୁ ସ୍ୱଚ୍ଛ ଏବଂ ଶସ୍ତା ଜାଳେଣି ସହଜରେ ଉପଲବ୍ଧ ହୋଇପାରିବ।

Related Articles

Back to top button