ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଭାରତରେ ମହଙ୍ଗା ହେବ ମଦ

ନୂଆଦିଲ୍ଲୀ, ୨୫ ମାର୍ଚ୍ଚ ୨୦୨୬: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବେ ଭାରତୀୟ ଖାଉଟିଙ୍କ ପକେଟ୍ ଉପରେ ଚଡ଼କ ପକାଇଛି। ବିଶେଷ କରି ତୈଳ ଏବଂ ଗ୍ୟାସ୍ ଆମଦାନୀ ବାଧାପ୍ରାପ୍ତ ହେବା ଫଳରେ ଭାରତରେ ମଦ ଏବଂ ବିୟରର ମୂଲ୍ୟ ପ୍ରାୟ ୧୨ ରୁ ୧୫ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଛି। ଗ୍ୟାସ୍ ଅଭାବରୁ ମଦ ବୋତଲ ପାଇଁ ଉଦ୍ଦିଷ୍ଟ କାଚ କାରଖାନାଗୁଡ଼ିକରେ ଉତ୍ପାଦନ ଠପ୍ ହୋଇଯାଇଥିବା ବେଳେ ବିୟର କ୍ୟାନ୍ ପାଇଁ ଆବଶ୍ୟକ ଆଲୁମିନିୟମ ଆମଦାନୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଯାହାକୁ ନେଇ ବଜାରରେ ବିଭିନ୍ନ କମ୍ପାନୀର ମଦ ଉପଲବ୍ଧ କରାଇବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ସୂଚନାଯୋଗ୍ୟ ଯେ, ଭାରତ ନିଜର ମୋଟ ଗ୍ୟାସ୍ ଚାହିଦାର ପ୍ରାୟ ୪୦ ଭାଗ କାତାରରୁ ଆମଦାନୀ କରିଥାଏ। ମାତ୍ର ଯୁଦ୍ଧ ଯୋଗୁଁ ଯୋଗାଣ ବ୍ୟାହତ ହୋଇଥିବାରୁ କାଚ ବୋତଲର ମୂଲ୍ୟ ପୂର୍ବ ତୁଳନାରେ ପ୍ରାୟ ୨୦ ପ୍ରତିଶତ ବଢ଼ିଯାଇଛି। ଉତ୍ତରପ୍ରଦେଶର ଫିରୋଜାବାଦସ୍ଥିତ ପ୍ରମୁଖ କାଚ କାରଖାନାଗୁଡ଼ିକରେ ଉତ୍ପାଦନ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି। ଚାହିଦା ତୁଳନାରେ ଯୋଗାଣ କମ୍ ରହୁଥିବାରୁ ବ୍ରିୟୁର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (BAI) ପକ୍ଷରୁ ମଦ ଓ ବିୟର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉତ୍ପାଦନ ଏବଂ ପରିଚାଳନାଗତ ଖର୍ଚ୍ଚ ବଢ଼ିଥିବାରୁ ଦର ବୃଦ୍ଧି ଅପରିହାର୍ଯ୍ୟ ବୋଲି ଆସୋସିଏଶନର ମହାନିର୍ଦ୍ଦେଶକ ବିନୋଦ ଗିରି ସୂଚନା ଦେଇଛନ୍ତି।
ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାରୁ ବଜାରରେ ବିୟରର ଚାହିଦା ବହୁଗୁଣିତ ହେବାର ସମ୍ଭାବନା ରହିଛି। ହେଲେ ବୋତଲ ଏବଂ କ୍ୟାନ୍ ସଂକଟ ଯୋଗୁଁ ଗ୍ରାହକଙ୍କୁ ଏବେ ଉଚ୍ଚ ମୂଲ୍ୟରେ ବିୟର କିଣିବାକୁ ପଡ଼ିବ। ଭାରତ ବିଶ୍ୱର ଅନ୍ୟତମ ବୃହତ୍ ମଦ ବଜାର ହୋଇଥିବା ବେଳେ, ୨୦୩୦ ସୁଦ୍ଧା ଏହି ବ୍ୟବସାୟ ଦ୍ୱିଗୁଣିତ ହେବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନର ମଧ୍ୟପ୍ରାଚ୍ୟ ସଂକଟ ଏହି ଶିଳ୍ପ ପାଇଁ ଏକ ବଡ଼ ପ୍ରତିବନ୍ଧକ ସାଜିଛି। କେବଳ ମଦ ନୁହେଁ, ଗ୍ୟାସ୍ ଏବଂ ତୈଳ ସଂକଟ ଯୋଗୁଁ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷେତ୍ର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।




