ଜାତୀୟରାଜନୀତି

ଭାରତୀୟ ରାଜନୀତିରେ ନୂତନ ରେକର୍ଡ: ସର୍ବାଧିକ ସମୟ ନିର୍ବାଚିତ ଶାସନ ମୁଖ୍ୟ ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୬: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ମୋଟ ୮୯୩୩ ଦିନ ପର୍ଯ୍ୟନ୍ତ ଜନସେବା ଜାରି ରଖି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କର ଏହି ଦୀର୍ଘକାଳୀନ ଶାସନ ଏବଂ ଦେଶ ପ୍ରତି ଥିବା ପ୍ରତିବଦ୍ଧତା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମଲଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଏହି ଲମ୍ବା ସେବାକାଳର ସଫଳତା ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

୨୦୦୧ ମସିହାରୁ ନିରନ୍ତର ଭାବେ ଜନସେବାରେ ବ୍ରତୀ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିଛି। ବିଶେଷ କରି ‘ସବ୍‌କା ସାଥ, ସବ୍‌କା ବିକାଶ’ ମନ୍ତ୍ରକୁ ପାଥେୟ କରି ସେ ଗରିବ, ଯୁବକ, ଚାଷୀ ଏବଂ ମହିଳାମାନଙ୍କ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ତାଙ୍କ ଶାସନ କାଳରେ ଦେଶ ରପ୍ତାନି କ୍ଷେତ୍ରରେ ସକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଛନ୍ତି।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ ଏବଂ ଭାରତ ପୁଣି ଥରେ ‘ବିଶ୍ୱଗୁରୁ’ର ମାନ୍ୟତା ପାଇବ ବୋଲି ରାଜ୍ୟ ସଭାପତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏଭଳି ଅନେକ ଇତିହାସ ସୃଷ୍ଟି କରି ଦେଶକୁ ଗୌରବାନ୍ୱିତ କରନ୍ତୁ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଶବାସୀଙ୍କ ବଢୁଥିବା ଆସ୍ଥା ଓ ବିଶ୍ୱାସ ତାଙ୍କୁ ଜଣେ ଅଦ୍ୱିତୀୟ ଜନନାୟକ ଭାବେ ପ୍ରତିଷ୍ଠିତ କରିଛି।

Related Articles

Back to top button