Featuredଓଡ଼ିଶାଜାତୀୟ

ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ

ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୬: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସର୍କିଟ୍ ହାଉସରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷର ଯାତ୍ରା ନୀତି ନିର୍ଘଣ୍ଟ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ମାର୍ଚ୍ଚ ୩୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ଭୋର ୪ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଆରମ୍ଭ ହୋଇ ୫ଟା ସୁଦ୍ଧା ସାହଣମେଲା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ମଧ୍ୟାହ୍ନ ୧୦ଟା ୧୫ରୁ ୧୦ଟା ୪୫ ମଧ୍ୟରେ ଯାତ୍ରା ପୂଜା ଶେଷ ହେବା ପରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ହେବ ଏବଂ ଅପରାହ୍ନ ସାଢେ ୨ଟା ସମୟରେ ରଥଟଣା ଆରମ୍ଭ ହେବ। ବାହୁଡ଼ା ଯାତ୍ରା ଦିନ ମଧ୍ୟ ଅପରାହ୍ନ ସାଢେ ୨ଟାରେ ରଥଟଣା ପାଇଁ ସମୟ ସ୍ଥିର କରାଯାଇଛି।

ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମକୁ ଅସ୍ଥାୟୀ ଭୋଗପିଣ୍ଡି ନିର୍ମାଣ, ସଫେଇ, ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ମନ୍ଦିରର ସାଜସଜ୍ଜା ଦାୟିତ୍ୱ ଦିଆଯାଇଛି। ୱାଟକୋ (WATCO) ବିଭାଗକୁ ରଥଯାତ୍ରା ପଥରେ ପାନୀୟ ଜଳ ଯୋଗାଣ ଓ ରାସ୍ତା ଧୌତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ବିଭାଗକୁ ଅଗ୍ନି ନିର୍ବାପନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇଛି। ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଅଶୋକାଷ୍ଟମୀ ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମନ୍ୱୟ ସମିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ଏବଂ ଲିଙ୍ଗରାଜ ମନ୍ଦିରର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ଭରିମାଲ୍ଲଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସମୟାନୁସାରେ ସମ୍ପାଦନ ହେବ, ସେଥିପାଇଁ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

Related Articles

Back to top button