ନିଆଁ କୋଳେଇ ନେବ ଡା. ଅଶୋକ ମହାପାତ୍ରଙ୍କୁ

ପଞ୍ଚଭୂତରେ ଲୀନ ହେବେ ଆଜି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ଅନ୍ତିମ ସତ୍କାର । ଭୁବନେଶ୍ୱରରେ ପହଞ୍ଚିସାରିଛି ଡା. ମହାପାତ୍ରଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ, ପୋଲିସ କମିଶନରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ରଖାଯାଇଥିଲା ତାଙ୍କ ମରଶରୀର। ସେଠାରେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି।
ଆଜି ପୁରୀ ସ୍ୱର୍ଗଦ୍ୱାରରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ ଅନ୍ତିମ ସଂସ୍କାର। ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ଓଡ଼ିଶା ହରାଇଛି ଜଣେ ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍ ଓ ମହାନ ବ୍ୟକ୍ତିତ୍ୱଙ୍କୁ। ତାଙ୍କର ଏହି ଅନ୍ତିମ ବିଦାୟରେ ଝୁରୁଛି ସାରା ଚିକିତ୍ସା ଜଗତ।




