
ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍। ଆରମ୍ଭ ହେଲା କାଉଣ୍ଟଡାଉନ୍ । ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ ପ୍ରାର୍ଥିପତ୍ର ଯାଞ୍ଚ । ଏହାପରେ ସନ୍ଧ୍ୟା ୫ଟା ସୁଦ୍ଧା ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ।
ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ ପ୍ରାର୍ଥୀ। ପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ହାତରେ କମ୍ ସମୟ ଥିବାରୁ ନିଜ ନିଜ ସପକ୍ଷରେ ପିଲାଙ୍କୁ ଟାଣିବାକୁ ଚାଲିଛି କସରତ। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ରାଜନୀତି ଫେରିଥିବାରୁ କ୍ଲାସ୍ ରୁମରୁ ହଷ୍ଟେଲ ସବୁଠି କୋଳାହଳ। ୧୩ ବିଶ୍ବବିଦ୍ୟାଳୟ ସମେତ ୩୨୮ଟି କଲେଜରେ ପ୍ରତ୍ୟକ୍ଷ ଭୋଟିଂ ହେଉଥିବାବେଳେ ୨୦୫ ଶିକ୍ଷାନୁଷ୍ଠାନରେ ହେଉଛି ସିଲେକସନ।
ନାମାଙ୍କନ ପ୍ରକ୍ରିୟା ପରେ ୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ଅକ୍ଟୋବର ୧୫ ଗୁରୁବାର ସକାଳ ୮ଟାରୁ ଅପରାହଣ ୨ଟା ଭିତରେ ହେବ ଭୋଟ୍ ଗ୍ରହଣ। ସେହିଦିନ ଅପରାହ୍ଣ ୨ଟାରୁ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ତା ପରଦିନ ନବ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ସମାରୋହ ପାଇଁ ଦିନ ଧାର୍ଯ୍ୟ ହୋଇଛି।




