ଭୁବନେଶ୍ୱରରେ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ଭୁବନେଶ୍ବର: ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଭବ୍ୟ ଲୋକାର୍ପଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓ ପରିସରରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ।

ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡ଼ିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଇକୋସିଷ୍ଟମ ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରି ରଖାଯିବ। ଓଡ଼ିଆ ସିନେମାର ପୁରୁଣା ଇତିହାସକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଚାଶ ଓ ଷାଠିଏ ଦଶକରେ ‘ମା’, ‘ଅମଡ଼ାବାଟ’ ଓ ‘ମାଟିର ମଣିଷ’ ପରି କାଳଜୟୀ ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଆ ସାହିତ୍ୟ ସହ ସିନେମାର ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିଥିଲା। ୧୯୮୦ ମସିହାରେ ସ୍ଥାପିତ ଏହି ଷ୍ଟୁଡ଼ିଓର ପ୍ରାକୃତିକ ବିପର୍ଯ୍ୟୟ ଓ ବୈଷୟିକ ପରିବର୍ତ୍ତନ କାରଣରୁ ନବୀକରଣ ଅନିବାର୍ଯ୍ୟ ହୋଇପଡ଼ିଥିଲା।
ରାଜ୍ୟର ଯୁବପିଢ଼ିଙ୍କ ଉପରେ ଗଭୀର ଆଶା ପ୍ରକଟ କରି ସେ କହିଛନ୍ତି ଯେ, ଆଜିର ଯୁବବର୍ଗ ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାହାଣୀ ଲେଖିବାରେ ବେଶ୍ ଆଗୁଆ ଅଛନ୍ତି। ନିଜର ମୌଳିକ କାହାଣୀ, ଲୋକକଥା, ଇତିହାସ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ଆଧାର କରି ସିନେମା ନିର୍ମାଣ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂତନ ଅଫିସିଆଲ୍ ପୋର୍ଟାଲକୁ ମଧ୍ୟ ଉନ୍ମୋଚିତ କରିଥିଲେ। ଉକ୍ତ ସମାରୋହରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ କଳିଙ୍ଗ ଷ୍ଟୁଡ଼ିଓର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।



