ଭିବି-ଜି ରାମଜି ଯୋଜନାରେ ଚାକିରି ସଙ୍କଟ: ୪୦ ଟେକ୍ନିକାଲ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ବା ଏମଏନଆରଜିଏ ଯୋଜନାରେ ବୈଷୟିକ ସହାୟକ ଭାବେ କାମ କରୁଥିବା ପ୍ରାୟ ୪୦ କର୍ମଚାରୀଙ୍କ ଚାକିରି ଏବେ ସଂକଟରେ | ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଠିକା ନିଯୁକ୍ତି ସଂସ୍ଥା ଦ୍ୱାରା ୬ ବର୍ଷ ହେଲା ଏମାନେ ନିଯୁକ୍ତି ପାଇଥିଲେ। ହେଲେ ନା ଆଜି ଯାଏ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଗଲା ନା ସଠିକ ସମୟରେ ପାରିଶ୍ରମିକ ଦିଆଗଲା । ଏବେ ଏମଏନଆରଜିଏ ଯୋଜନାର ନାଁ ପରିବର୍ତ୍ତନ କରି ଭିବି-ଜି ରାମଜି ହୋଇଛି। ଯୋଜନାର ନାଁ ବଦଳିଲା, ହେଲେ ଏବେ ସଙ୍କଟରେ ପଡ଼ିଛି ଏହି ଯୋଜନାରେ କାମ କରୁଥିବା ଟେକ୍ନିକାଲ କର୍ମଚାରୀଙ୍କ ଚାକିରି। ପ୍ରାୟ ୪୦ ଜଣ ବୈଷୟିକ ସହାୟକଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ।
ଏହି ଯୋଜନା ଅଧୀନରେ ୩୧୮ ପ୍ରକାରର ବିକାଶମୂଳକ କାମ କରିବାର ବ୍ୟବସ୍ଥା ରହିଛି। ବନ ବିଭାଗ, ଜଳସମ୍ପଦ, କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ପାନୀୟ ଜଳ ଭଳି ବିଭିନ୍ନ ବିଭାଗ ସହ କନଭର୍ଜେନ୍ସ ମୋଡ୍ରେ କାମ କରିବାର ସୁଯୋଗ ରହିଛି। କିନ୍ତୁ ଅଭିଯୋଗ ହେଉଛି, ଓଡ଼ିଶାରେ ଏହି ବ୍ୟବସ୍ଥାକୁ ଆବଶ୍ୟକ ଭାବେ କାର୍ଯ୍ୟକ୍ଷମ କରାଯାଉନାହିଁ। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖାଯାଉଥିବା ଅଭିଯୋଗ ହୋଇଛି।
କର୍ମଚାରୀ ସଂଘର ଅଭିଯୋଗ ଅନୁସାରେ, ଏସ୍ସି ଏବଂ ଏସ୍ଟି ବିଭାଗର କାମକୁ ଭିବି-ଜି ରାମଜି ଯୋଜନା ସହ ଯୋଡ଼ିବା ନେଇ ବିଭାଗୀୟ ସ୍ତରରେ ଅନିଚ୍ଛା ରହିଛି। ଏହା ଯୋଗୁଁ ଆଦିବାସୀ ପରିବାରଙ୍କ ଜୀବିକା ସହାୟତା, ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଏବଂ ସ୍ଥାନୀୟ ଆବଶ୍ୟକତା ଆଧାରିତ ପ୍ରକଳ୍ପ କାମ ପ୍ରଭାବିତ ହେଉଛି। ସଂଘର ଯୁକ୍ତି ହେଉଛି, ଭିବି-ଜି ରାମଜି ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଏବଂ ରାଜ୍ୟର ୪୦ ପ୍ରତିଶତ ଅଂଶ ରହିଛି। ସେହିଭଳି କନଭର୍ଜେନ୍ସ ମୋଡ୍ରେ ବ୍ଲକ୍ ଏବଂ ବିଭିନ୍ନ ଲାଇନ୍ ବିଭାଗ ମିଶି କାମ କରିପାରିବେ। ଆଇଟିଡିଏ ଜରିଆରେ ନିଆଯାଉଥିବା ପ୍ରକଳ୍ପଗୁଡ଼ିକୁ ଆଦିବାସୀ ପରିବାରଙ୍କ ଜମି ଓ ଜୀବିକା ସହ ଯୋଡ଼ାଯାଇପାରିବ ବୋଲି ସଂଘ କହିଛି।
ଏହା ସହିତ ବିଭାଗରେ ଟେକ୍ନିକାଲ ଷ୍ଟାଫ୍ର ଅଭାବ ଥିବା ଯୁକ୍ତିକୁ ମଧ୍ୟ ସଂଘ ଖଣ୍ଡନ କରିଛି। ଭିବି-ଜି ରାମଜି ଯୋଜନା ଅଧୀନରେ ଆବଶ୍ୟକ ଟେକ୍ନିକାଲ ମାନବ ସମ୍ବଳକୁ ନିୟୋଜିତ କରାଯାଇପାରିବ। ଜୁଲାଇ ୧୭, ୨୦୨୬ରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା ସଂଘ ଦାବି କରିଛି। ଏହି ଯୋଜନାରେ କାମ କରୁଥିବା ଟେକ୍ନିକାଲ କର୍ମଚାରୀଙ୍କ ଦରମା କଣ୍ଟିଜେନ୍ସି ମାଧ୍ୟମରେ ଦିଆଯାଇପାରିବ। ତେଣୁ କେବଳ ୟୁସି କିମ୍ବା ଟେକ୍ନିକାଲ ଷ୍ଟାଫ୍ର ଅଭାବକୁ ଆଧାର କରି କାମ ବନ୍ଦ ରଖିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସଂଘ ଦାବି କରୁଛି।
ଭିବି-ଜି ରାମଜି ଯୋଜନା ଅଧୀନରେ କାମ କଲେ ଡୁପ୍ଲିକେଟ୍ ୱାର୍କର ସମ୍ଭାବନା ନାହିଁ। ପୂର୍ବରୁ ଗ୍ରହଣ କିମ୍ବା କାର୍ଯ୍ୟକାରୀ ହୋଇଥିବା କାମକୁ ପୁଣିଥରେ ଏହି ଯୋଜନା ଅଧୀନରେ ନେବାର ବ୍ୟବସ୍ଥା ନଥିବାରୁ ଏନେଇ ଦ୍ୱନ୍ଦ୍ୱର ପ୍ରଶ୍ନ ଉଠୁନାହିଁ ବୋଲି ସଂଘ କହିଛି।ତେବେ ଏହି ସମସ୍ତ ବିବାଦର ମଝିରେ ସବୁଠୁ ବଡ଼ ପ୍ରଶ୍ନ ଏବେ ପ୍ରାୟ ୪୦ ଜଣ ଟେକ୍ନିକାଲ କର୍ମଚାରୀଙ୍କ ଚାକିରିକୁ ନେଇ। ଏହା ସହିତ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ସ୍ତରରେ କାମ କରୁଥିବା ୬୦ରୁ ଅଧିକ ଏମଜିଏନଆରଇଜିଏସ୍ ଆସିଷ୍ଟାଣ୍ଟଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏବେ ପ୍ରଶ୍ନ ହେଉଛି ଯୋଜନାର ନାଁ ବଦଳିବା ସହିତ କଣ ବଦଳିବ ଏହି କର୍ମଚାରୀଙ୍କ ଭାଗ୍ୟ? ନା ଦୀର୍ଘ ୬ ବର୍ଷ ଧରି କାମ କରୁଥିବା ଏହି ଟେକ୍ନିକାଲ କର୍ମଚାରୀମାନେ ଚାକିରି ହରାଇବେ? ଏହା ଉପରେ ଏବେ ସମସ୍ତଙ୍କ ନଜର।




