
ଖଣି କ୍ଷେତ୍ରରେ ଏମଏମଡିଆର ଆଇନ ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତର୍କ ତୀବ୍ର ହୋଇଛି। ୧୯୫୭ରେ ପ୍ରଣୀତ ଏମଏମଡିଆର ଆଇନରେ ୨୦୧୫ରେ ବଡ଼ ସଂଶୋଧନ କରାଯାଇଥିଲା। ଡା. ସମ୍ବିତ ପାତ୍ରଙ୍କ ଦାବି ଅନୁସାରେ, ଏହା ପରେ ଖଣି ଆବଣ୍ଟନରେ ଇ-ନିଲାମୀ ବ୍ୟବସ୍ଥା ଆସିଥିଲା ଏବଂ ଓଡ଼ିଶାର ଖଣି ରାଜସ୍ୱରେ ବୃଦ୍ଧି ଘଟିଛି। ୨୦୧୪-୧୫ ପୂର୍ବରୁ ଓଡ଼ିଶା ଖଣି କ୍ଷେତ୍ରରୁ ବାର୍ଷିକ ପ୍ରାୟ ୩,୩୦୦ରୁ ୫,୦୦୦ କୋଟି ଟଙ୍କା ପାଉଥିଲା। ଏବେ ଏହା ପ୍ରାୟ ୫୫ରୁ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସେ ଦାବି କରିଛନ୍ତି। ଏହା ସହିତ ଡିଏମଏଫ ପାଣ୍ଠି ମାଧ୍ୟମରେ ମଧ୍ୟ ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କା ମିଳିଥିବା କହିଛନ୍ତି।
ଅନ୍ୟପଟେ, ଓରିସେଡ୍ ଆଇନକୁ ନେଇ ମଧ୍ୟ ଡା. ପାତ୍ର ପୂର୍ବତନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ମାମଲା ବିଚାରାଧୀନ ରହିଥିବା ଏବଂ ଆବଶ୍ୟକ ଆଇନଗତ ସଂଶୋଧନ କରାଯାଇନଥିବାରୁ ରାଜ୍ୟ ରାଜସ୍ୱ ହରାଇଥିବା ସେ ଅଭିଯୋଗ କରିଛନ୍ତି।ଖଣି ଦୁର୍ନୀତି, ପରିବେଶ କ୍ଷତି ଏବଂ ଖଣିଜ ଅଞ୍ଚଳର ଲୋକଙ୍କ ବିକାଶକୁ ନେଇ ମଧ୍ୟ ସେ ପୂର୍ବତନ ବିଜେଡି ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଡିଏମଏଫ ପାଣ୍ଠିର ବ୍ୟବହାରକୁ ନେଇ ସିଏଜି ରିପୋର୍ଟର ଉଦାହରଣ ଦେଇ ସେ ପ୍ରଶ୍ନ ଉଠାଇଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗରେ ପୂର୍ବତନ ବିଜେଡି ସରକାରଙ୍କ ଖଣି ନୀତି ଓ ରାଜସ୍ୱ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ସରକାରଙ୍କ ସମୟରେ ରାଜ୍ୟ ବିପୁଳ ଆର୍ଥିକ କ୍ଷତି ସହିଛି।ସଂଶୋଧିତ ଏମଏମଡିଆର ଆଇନ ମାଧ୍ୟମରେ ଖଣିଜ ସମ୍ପଦର ସ୍ୱଚ୍ଛ ନିଲାମୀ, ରାଜସ୍ୱ ବୃଦ୍ଧି ଏବଂ ଖଣି ପ୍ରଭାବିତ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯାଉଛି।ତେବେ, ଖଣି ନୀତି, ରାଜସ୍ୱ ଆଦାୟ ଓ ଡିଏମଏଫ ପାଣ୍ଠିର ବ୍ୟବହାରକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ବିତର୍କ। ଏହି ଦାବି ଓ ପ୍ରତିଦାବି ମଧ୍ୟରେ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ରାଜସ୍ୱ ଉପରେ ଆଗାମୀ ଦିନରେ ଏହାର ପ୍ରଭାବ କଣ ରହିବ, ତାହା ଉପରେ ରହିଛି ନଜର।




