ଓଡ଼ିଶା

ପନିର ଟେଷ୍ଟ ରିପୋର୍ଟ । ମଇଦା ଦେଇ କହୁଥିଲେ ଛେନା ।

ପନିର ଖାଉଥିଲେ ହେଇଯାଆନ୍ତୁ ସାବଧାନ ! ଆପଣ ଯେଉଁ ପନିର ଖାଉଛନ୍ତି ସେ ଛେନାରେ ନୁହେଁ ବରଂ ମଇଦାରେ ତିଆରି ହେଉଛି | ଟେଷ୍ଟ ରିପୋର୍ଟରୁ ଏହି କଥା ଖୁଲାସା ହୋଇଛି |ଗତ ମାସ କଟକରେ ଜବତ ହୋଇଥିଲା ୭୦ କୁଇଣ୍ଟାଲରୁ ଅଧିକ ପନିର । ଏହି ପନିର ନିଆଳିରୁ ଆସିଥିଲା । ଜବତ ପନିର ନମୁନାକୁ ହରିୟାଣାର ଏକ ଲ୍ୟାବ୍‌କୁ ଯାଞ୍ଚ ପାଇଁ ପଠାଯାଇଥିଲା । ଆଉ ସେଥିରୁ ଯାହା ଜଣାପଡ଼ିଲା, ତାହା ଆଖି ତରାଟିଦେଲା ଭଳି ।

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ସତ । ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯାଇଛି, ନିଆଳିରୁ ଆସିଥିବା ଏହି ପନିର ଖାଦ୍ୟ ଅନୁପଯୁକ୍ତ । ପନିରରେ ମିଶିଥିଲା ମଇଦା ଓ ଡିଟରଜେଣ୍ଟ । ପନିରକୁ ଅଧିକ ନରମ କରିବା ପାଇଁ ମିଶୁଥିଲା ଅଖାଦ୍ୟ । ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଲ୍ୟାବ୍ ରିପୋର୍ଟକୁ ଫୁଡ୍ ସେଫ୍‌ଟି କମିସନର୍‌ଙ୍କ ହସ୍ତଗତ ହୋଇଛି । ନିର୍ଦ୍ଦେଶ ଆସିଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଗତମାସ ପନିର ଧରପଗଡ଼କୁ ନେଇ ଉଠିଥିଲା ପଡ଼ିଥିଲା ରାଜ୍ୟ ।

ପନିର ଦେଖିଲେ ମନକୁ ଆସୁଥିଲା, ଏହା ଭେଜାଲ୍ ହୋଇନଥିବ ତ? ଛେନା ଓ ପନିର ପାଇଁ ପ୍ରସିଦ୍ଧ ନିଆଳିରେ ଯଦି କିଛି ବେପାରୀ ଏଭଳି ଅଖାଦ୍ୟ ଅପମିଶ୍ରଣ କରୁଛନ୍ତି, ଅନ୍ୟ ଜାଗାରୁ ଆସୁଥିବା ପନିର କେତେ ବିଶୁଦ୍ଧ ହୋଇଥିବ? ତେବେ ଟେଷ୍ଟ୍ ରିପୋର୍ଟ ହାତରେ ଲାଗିବା ପରେ ପ୍ରଶ୍ନ ଉଠୁଛି, ଏଭଳି ପନିର ଅପମିଶ୍ରଣକାରୀଙ୍କ ବିରୋଧରେ ହେବ ତ କଠୋର କାର୍ଯ୍ୟାନୁଷ୍ଠାନ? କେବଳ ଭେଜାଲ୍‌ ପନିର ତିଆରି କରୁଥିବା ଲୋକ ଦଣ୍ଡିତ ହେବେ? ନା ଏହାକୁ ବଜାରକୁ ଛାଡ଼ୁଥିବା ଓ ବିକୁଥିବା ଲୋକ ବି ଦଣ୍ଡ ପାଇବେ? ଭେଜାଲ୍‌ ପନିର ଉପରେ କେବେ ଲାଗିବ ରୋକ୍? ଏହାକୁ କେମିତି ରୋକିବେ ସରକାର?

 

Related Articles

Back to top button