ଓଡ଼ିଶା

ଓଜେସିରେ ଶକ୍ତି ପ୍ରଦର୍ଶନ: ସାମିଲ ହେଲେ ପ୍ରମୁଖ କୃଷକ ନେତା

ରାଜ୍ୟ ରାଜନୀତିରେ ବୃଦ୍ଧି ପାଇବାରେ ଲାଗିଛି ଆଞ୍ଚଳିକ ଦଳର ଗୁରୁତ୍ୱ। ବିଶେଷକରି ଚାଷୀ ଓ କୃଷକ ସମସ୍ୟାକୁ ପ୍ରମୁଖ ମୁଦ୍ଦା କରି ଓଡ଼ିଶା ଜନତା କଂଗ୍ରେସ (OJC) ନିଜର ସଂଗଠନକୁ ଆହୁରି ମଜବୁତ୍ କରିବାକୁ ଯାଉଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ରାଜନୈତିକ ମିଶ୍ରଣ ପର୍ବ।ରାଜ୍ୟର ପ୍ରମୁଖ କୃଷକ ନେତା ଥତା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ ଓ ଉମାକାନ୍ତ ଭାରତ ନିଜର ଶହ ଶହ ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ଓଡ଼ିଶା ଜନତା କଂଗ୍ରେସରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ଶହିଦନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଜମା ହୋଇଥିଲେ ଶହ ଶହ କୃଷକ ଓ କୃଷକ ନେତା। ସେଠାରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଟ୍ରାକ୍ଟର ରାଲି ସହ କୃଷକମାନେ ଓଜେସି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ଟ୍ରାକ୍ଟରର ଗର୍ଜନ ଏବଂ ଚାଷୀଙ୍କ ସ୍ଲୋଗାନରେ କମ୍ପିଉଠିଥିଲା ରାଜଧାନୀର ରାଜପଥ।ସେଠାରୁ ଓଜେସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆୟୋଜିତ ହୋଇଥିଲା ଏକ ଭବ୍ୟ ମିଶ୍ରଣ ପର୍ବ। ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ସମସ୍ତ କୃଷକ ନେତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଦଳକୁ ସ୍ୱାଗତ କରିଥିଲେ।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ କୃଷକମାନେ ହେଉଛନ୍ତି ଓଡ଼ିଶାର ପ୍ରାଣ। ଓଜେସି ସଦାସର୍ବଦା ଓଡ଼ିଆ ଚାଷୀଙ୍କ ‘ସ୍ୱାର୍ଥ, ସମ୍ମାନ ଓ ସ୍ୱାଭିମାନ’ ପାଇଁ ଲଢ଼େଇ କରିଆସିଛି। ବିଗତ ଦଶନ୍ଧିରେ କୌଣସି ପ୍ରମୁଖ ଦଳ ଚାଷୀଙ୍କ ପାଇଁ ଆନ୍ତରିକତା ଦେଖାଇନାହାନ୍ତି। ଆଜି ଏହି କୃଷକ ନେତାମାନେ ସାମିଲ ହେବା ପରେ ଚାଷୀଙ୍କ ହକ୍ ପାଇଁ ଆମର ସ୍ୱର ଆହୁରି ଶାଣିତ ହେବ। ଆମର ଗୋଟିଏ ନାରା— ‘ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ’ବୋଲି କୃଷକ ନେତା ଶେଷଦେବ ନନ୍ଦ, କହିଥିଲେ |

ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମୟରେ ଅଣକୃଷି ପ୍ରସଙ୍ଗରେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରୁଥିବାରୁ ଆମେ ସଂଗଠନର ହାତ ଛାଡ଼ିଲୁ। ବିନା ରାଜନୀତିରେ ଚାଷୀଙ୍କ ଦାବି ହାସଲ ସମ୍ଭବ ନୁହେଁ। ତେଣୁ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମେ ଓଜେସିକୁ ବିକଳ୍ପ ଭାବେ ବାଛିଲୁ।” ଆଜିର ଏହି ମିଶ୍ରଣ ପର୍ବରେ ନବନିର୍ମାଣ କୃଷକ ସଂଗଠନର କଟକ ଜିଲ୍ଲା ସଂଯୋଜକ କୃଷ୍ଣ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦେବୀପ୍ରସାଦ ମହାରଣା, ନୟାଗଡ଼ ଜିଲ୍ଲା ସଂଯୋଜକ ପ୍ରଶନ୍ନ ପ୍ରଧାନ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ମହେଶ୍ୱର ଜେନା, ଅଭିମନ୍ୟୁ ଗୁମାନସିଂ, କେନ୍ଦୁଝର ଜିଲ୍ଲାର କୃଷକ ନେତା ଶ୍ୟାମସୁନ୍ଦର ମହାନ୍ତ, ରାଜକିଶୋର ମହାନ୍ତି, ହରିଶ୍ଚନ୍ଦ୍ର ଦଳାଇ, ଦୁର୍ଯ୍ୟୋଧନ ମହାନ୍ତ, ଅଜୟ ନାୟକ, ଯାଜପୁର ଜିଲ୍ଲାର କୃଷକ ନେତା ବଲ୍ଲଭ ଜେନା, ମାଧବାନନ୍ଦ ଶାନ୍ତି, ଦିଲ୍ଲୀପ କୁମାର ବେହେରା, ରବୀନ୍ଦ୍ର ବରାଡ, ମଧୁସ୍ମିତା ମହାନ୍ତ ଓ ଅମରେନ୍ଦ୍ର ନାୟକ ପ୍ରମୁଖ ଓଜେସିରେ ସାମିଲ ହୋଇଥିଲେ ।

ତେବେ ନବନିର୍ମାଣ କୃଷକ ସଂଗଠନର ଏହି ବଡ଼ ଧରଣର ନେତୃବୃନ୍ଦ ଓଜେସିରେ ସାମିଲ ହେବା ପରେ, ଆଗାମୀ ଦିନରେ ରାଜ୍ୟରେ ଚାଷୀ ଆନ୍ଦୋଳନ ଏବଂ କୃଷକ ସମସ୍ୟାକୁ ନେଇ ଓଜେସିର ରାଜନୀତି କି ପ୍ରକାର ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button