ଜାତୀୟରାଜନୀତିଶିକ୍ଷା

ମିଡ୍-ଡେ ମିଲ୍‌ରେ ମିଳିବ ଚିକେନ୍ ବିରିୟାନୀ

ଏଥର ଭାତ , ଡାଲି କି ସୋୟାବିନ ନୁହେଁ ମିଡ୍-ଡେ ମିଲ୍‌ରେ ମିଳିବ ଚିକେନ୍ ବିରିୟାନୀ | ସରକାରୀ ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କୁ ଆକୃଷ୍ଟ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି | ସପ୍ତାହକୁ ଥରେ ଚିକେନ୍ ବିରିୟାନୀ ଦେବା ନେଇ ବିଚାର କରାଯାଉଛି । ତେବେ ଏହାକୁ ତୁରନ୍ତ ସବୁ ସ୍କୁଲ୍‌ରେ ଲାଗୁ କରାଯିବ ନାହିଁ । ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ କରାଯିବ ଏବଂ ଏହାପରେ ବ୍ୟବସ୍ଥା ସଫଳ ହେଲେ ବିସ୍ତାର କରାଯିବ |

ତାମିଲନାଡୁର ସ୍କୁଲ୍ ଶିକ୍ଷାମନ୍ତ୍ରୀ ରାଜ ମୋହନ କହିଛନ୍ତି, ସରକାରୀ ସ୍କୁଲ୍‌ର ସମସ୍ତ ପିଲାଙ୍କୁ ଚିକେନ୍ ବିରିୟାନୀ ଦେବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା । କିନ୍ତୁ ଏହି ଯୋଜନାକୁ ଲାଗୁ କରିବା ପୂର୍ବରୁ ଅନେକ ଦିଗ ଉପରେ ପରୀକ୍ଷା କରାଯିବ । ବିଶେଷକରି ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଏବଂ ଏତେ ବଡ଼ ସଂଖ୍ୟାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣର ବ୍ୟବସ୍ଥା କିପରି ହେବ, ତାହା ଉପରେ ନଜର ରହିବ ।ଆଉ ବଢ଼ୁଥିବା ପିଲାଙ୍କ ଶରୀର ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି । ତେଣୁ ସ୍କୁଲ୍ ଭୋଜନରେ ପୌଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦେବା ଏହି ପ୍ରସ୍ତାବର ଏକ ଉଦ୍ଦେଶ୍ୟ ବୋଲି କୁହାଯାଉଛି |

ଅନ୍ୟପଟେ, ଯେଉଁ ପିଲାମାନେ ନନ୍-ଭେଜ୍ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ଭେଜିଟେରିଆନ୍ ଭୋଜନ ଜାରି ରହିବ ବୋଲି କୁହାଯାଇଛି। ଅର୍ଥାତ୍ ଚିକେନ୍ ବିରିୟାନୀ ଏକ ବିକଳ୍ପ ଭାବେ ରହିପାରେ । ତେବେ ଏବେ ନଜର ରହିଛି ପାଇଲଟ୍ ପ୍ରୋଜେକ୍ଟ ଉପରେ। ପାଇଲଟ୍ ପରୀକ୍ଷାରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ଗୁଣବତ୍ତା ଓ ବଣ୍ଟନ ବ୍ୟବସ୍ଥାକୁ ପରଖାଯିବ । ଏହାପରେ ହିଁ ସମଗ୍ର ତାମିଲନାଡୁର ସରକାରୀ ସ୍କୁଲ୍‌ରେ ଏହି ଯୋଜନା ଲାଗୁ ହେବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ।

Related Articles

Back to top button